ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପ ନିର୍ବାଚନ କାର୍ୟ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି, ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୯ ତାରିଖରେ ପ୍ରତ୍ୟାହାର ପାଇଁ ଦିନ ଧାର୍ୟ୍ୟ କରାଯାଇଛି। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ। ନଭେମ୍ବର ୧୨ ତାରିଖରେ ଉପ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

କୋଭିଡ ମହାମାରୀ ସମୟରେ ନିର୍ବାଚନ ପରିଚାଳନା ଆମ ପାଇଁ ଏକ ଆହ୍ୱାନ ବୋଲି ଶ୍ରୀ ଲୋହାନୀ କହିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ଦୁଇଜଣ ବ୍ୟକ୍ତି ଯାଇପାରିବେ ଏବଂ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ। ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ଏକ ହଲରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତର ରକ୍ଷା କରି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।

Spread the love