ସ୍କୁଲ, ଅଙ୍ଗନବାଡ଼ି ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିଲେ; ଚୋରି ମାମଲାରେ ୫ ଗିରଫ

ସୁନ୍ଦରଗଡ଼: ଦୀର୍ଘ ୨ ବର୍ଷ ହେଲା ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟରେ କଳାକନା ବୁଲାଇ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଏକ ରାକେଟକୁ ସୁନ୍ଦରଗଡ଼ ପୁଲିସ ଧରିଛି। ୪ ଜଣ ଚୋରି ଅଭିଯୁକ୍ତଙ୍କ ସହ ଜଣେ କ୍ରେତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ସମ୍ଵଲପୁର ସର୍ଗିଡିହି ଗ୍ରାମର ପଦ୍ମନ ପାତ୍ର, ବଡ଼ଗାଁ ଭେଲୁଆବାହାଲର ସଂଜୟ କେଶରୀ, ମୁଣ୍ଡାଗାଁର ଚିତ୍ରସେନ ମଗର, ବଡ଼ଗାଁର ସ୍ଵରୁପ କେଶରୀ ଓ ଜଗତସିଂପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତସ୍ଵାଇଁ। ଦୁଷ୍ମନ୍ତ ହେଉଛନ୍ତି ଚୋରି ସାମଗ୍ରୀର କ୍ରେତା। ୧୫ ଲକ୍ଷରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ ହୋଇଛି। ଏନେଇ ଆଜି ସ୍ଥାନୀୟ ସଦର ଥାନାରେ ଏକ ସାମ୍ଵାଦିକ ସମ୍ମିଳନୀରେ ସଦର ଏସଡିପିଓ ସୂଚନା ଦେଇଛନ୍ତି।

ପୁଲିସ କହିଛି ଯେ, ଏହି ରାକେଟ୍ ଜିଲ୍ଲାର ସଦର, ଧୁରୁଆଡିହି, ଭଷ୍ମା, ତଳସରା, କିଂଜିରକେଲା ଥାନା ଅଂଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି, ପଂଚାୟତ କାର୍ଯ୍ୟାଳୟର ତାଲାକୁ ଅତ୍ୟାଧୁନିକ କଟର ସାହାଯ୍ୟରେ କାଟି ସ୍ମାର୍ଟ ଟିଭି, ଇନଭେଟର, ପାଣି ପମ୍ପ, ଗ୍ୟାସ ସିଲିଣ୍ଡର, ପଙ୍ଖା, ସୋଲାର ପେନାଲ ଚୋରି କରି ଚମ୍ପଟ ମାରୁଥିଲେ। ବିଶେଷ କରି ଏହି ରାକେଟର ଫୋକସରେ ଥିଲା ବିଦ୍ୟାଳୟ ଓ ଅଙ୍ଗନବାଡି। କାରଣ ଏସବୁ ଅନୁଷ୍ଠାନଗୁଡିକରେ ଛୁଟିଦିନ ଏବଂ ରାତିରେ କେହି ରହୁନଥିବାରୁ ଏମାନେ ସ୍କୁଲରୁ ହିଁ ଚୋରି କରିବାକୁ ନିରାପଦ ମଣୁଥିଲେ। ଏହା ସହ ଏକ ଅତ୍ୟାଧୁନିକ କଟର ସାହାଯ୍ୟରେ ତାଲାକୁ କାଟିବା ସହ ସେଠାରେ କୌଣସି ପ୍ରକାରର ପ୍ରମାଣ ଛାଡୁନଥିଲେ। ବିଦ୍ୟାଳୟରେ ଲାଗିଥିବା ସ୍ମାର୍ଟ ଟିଭି ଯାହାର ମୁଲ୍ୟ ଦେଢ ଲକ୍ଷ ତାକୁ ଏମାନେ ମାତ୍ର ୧୦ରୁ ୧୫ ହଜାରରେ ବିକ୍ରି କରିବା ସହ ସମସ୍ତ ଚୋରି ସାମଗ୍ରୀକୁ ଏହିଭଳି ଭାବରେ କମ ଦାମରେ ବିକୁଥିଲେ। ଶସ୍ତା ଯୋଗୁଁ ଅନେକ ଲୋକ କିଣୁଥିଲେ। ବାରମ୍ବାର ଚୋରି ସୁନ୍ଦରଗଡ଼ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା।ଫଳରେ ପୁଲିସ ଏବଂ ସାଇଣ୍ଟିଫିକ ଟିମ ପାଇଁ ଏକ ଚ୍ୟାଲେଂଜ ହୋଇଥିଲା।

ତେବେ ଶେଷରେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ୩ଟି ସ୍ମାର୍ଟ ଟିଭି, ୧୬ଟି ଇନଭେଟର ବ୍ୟାଟେରି, ୩ଟି ଫ୍ୟାନ, ୭ଟି ଗ୍ୟାସ ସିଲିଣ୍ଡର, ୭ଟି କାନ୍ଥପଙ୍ଖା, ୪ଟି ଇନଭେଟର, ପ୍ରିଣ୍ଟର, ଫ୍ରିଜ, ୨୬ଟି ସୋଲାର ପ୍ଲେଟ ସହ ଏକ ଟାଟା ମେଜିକ, ଗୋଟିଏ ବୋଲେରୋ,ଏବଂ ଗୋଟେ ଦୁଇ ଚକିଆ ଗାଡି ଜବତ ହୋଇଛି। ଅଭିଯୁକ୍ତମାନଙ୍କ ନାମରେ ସଦରଥାନାରେ ୮, ଧରୁଆଡିହି ଥାନାରେ ୪, ତଳସରା ଥାନାରେ ୭, କିଞ୍ଜିରକେଲା ଥାନାରେ ୧ଟି ମାମଲା ରୁଜୁ ହୋଇଥିଲା। ସୁନ୍ଦରଗଡ଼ ଏସଡିପିଓ ହିମାଂଶୁ ବେହେରାଙ୍କ ତତ୍ତ୍ବାବଧାନରେ ୧୦ ଜଣିଆ ପୁଲିସ ଟିମ୍ ଚଢାଉ କରି ଧରିଥିଲେ।।

Spread the love