ଗାଈ ଗୋଠରେ ପଶିଲା ଦନ୍ତା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ ହାତୀପଲ ଉପଦ୍ରବରେ ଜନସାଧାରଣ ଆତଙ୍କିତ ହୋଇ ରହିଛନ୍ତି। ଧାନକୁ ସୁରକ୍ଷା ଦେବାକୁ ଚାଷୀ ଗଛ ଉପରେ ମଞ୍ଚା ତିଆରି କରି ଜଗୁଥିବା ବେଳେ ହାତୀପଲ ଘଉଡ଼ାଇବାକୁ ବନ ବିଭାଗ ମଧ୍ୟ ଉଦ୍ୟମ ଜାରି ରଖିଛି। ତେବେ ତାରସିଂ ବନାଞ୍ଚଳରେ ଘୂରି ବୁଲୁଥିବା ହାତୀପଲ ବର୍ତ୍ତମାନ ଗାଲେରୀ ଆଡ଼କୁ ଚାଲିଆସିଛନ୍ତି। ସେହି ପଲରୁ ଗୋଟିଏ ଦନ୍ତା ଅଲଗା ହୋଇ ମଙ୍ଗଳବାର ରାତିରେ ଆତଙ୍କ ଖେଳାଇଛି। ହଳନ୍ଦଖୋଳା ଗ୍ରାମ ନିକଟରେ ଗାଈଗୋରୁ ରହୁଥିବା ଗୁହାଳଗୋଠରେ ପଶି ବାଛୁରୀକୁ ଆକ୍ରମଣ କରିବାରୁ ତା’ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଦୁଇଟି ଗାଈ ସାମାନ୍ୟ ଆହତ ହୋଇଛନ୍ତି। ବନ ବିଭାଗ କର୍ମଚାରୀମାନେ ତୁରନ୍ତ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଆହତ ଗାଈର ଚିକିତ୍ସା ହୋଇଥିବା ବେଳେ ବେଳେ ବାଛୁରୀର ଶବକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଗାଈ ମାଲିକଙ୍କ ଘର ହଳନ୍ଦଖୋଳା ଏବଂ ବାଲିସାହିରେ ହୋଇଥିବା ବେଳେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗାଲେରୀ ଇଲାକାରେ ୧୭ଟିକିଆ ହାତୀପଲ ରହିଥିବା ଉକ୍ତ ଦନ୍ତାଟି ତାରସିଂ ବନାଞ୍ଚଳରେ ଏକୁଟିଆ ବୁଲୁଛି। ଚନ୍ଦ୍ରଗିରି ଜଙ୍ଗଲରେ ସେ ବର୍ତ୍ତମାନ ରହିଥିବା ବେଳେ ସନ୍ଧ୍ୟାରେ ଲେମ୍ଭାଇ ଆଡ଼କୁ ଯାଇ ପୁଣି ସକାଳୁ ଜଙ୍ଗଲକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି। ତା’ର ଗତିବିଧି ଉପରେ ନଜର ରଖାଯାଇଛି। ସେହିପରି ହାତୀପଲ ସୁରକ୍ଷା ପାଇଁ ପ୍ରତି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଂଲିକୁ କଡ଼ାକଡ଼ି କରାଯାଇଛି। ଲାଇଟ୍ ଦେଖାଇ ଓ ବାଣ ଫୁଟାଇ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଯାଉଛି। ଆଗକୁ ଅମଳ ସମୟରେ ଧାନର ବାସ୍ନାରେ ହାତୀପଲ ଗାଁ ମୁହାଁ ହେବାର ସମ୍ଭାବନା ଦେଖାଦେଇଛି। ଫସଲ ଖାଇବା ଅପେକ୍ଷା ଅଧିକ ନଷ୍ଟ କରୁଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ଆରମ୍ଭ ହୋଇଛି।

Spread the love