twitter କର୍ମଚାରୀଙ୍କ ଲାଗି ଏଲନମସ୍କଙ୍କ ଘୋଷଣା, ଦୈନିକ ୧୨ ଘଣ୍ଟା, ସପ୍ତାହକୁ ୭ ଦିନ ଚାକିରୀ

ସାନଫ୍ରାନସିସ୍କୋ ୨।୧୧: ଟେସ୍ଲା ସିଇଓ ଏଲନ ମସ୍କ ନିକଟରେ ଟ୍ୱିଟରକୁ କ୍ରୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ ଲାଗି ମସ୍କ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ମସ୍କଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ ଲାଗି କ୍ଷତିର କାରଣ ବୋଲି କୁହାଯାଉଛି। ମସ୍କ କର୍ମଚାରୀଙ୍କ ଲାଗି ନୂଆ ଡ୍ୟୁଟି ଆୱାର ଘୋଷଣା କରିଛନ୍ତି। ଏଥିରେ ଟ୍ୱିଟରର ଇଞ୍ଜିନିୟରମାନଙ୍କୁ ସପ୍ତାହକୁ ୭ ଦିନ ଓ ଦୈନିକ ୧୨ ଘଣ୍ଟା ସିଫ୍ଟରେ କାମ କରିବା ଲାଗି ମସ୍କ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ୱିଟର ମ୍ୟାନେଜମେଣ୍ଟ କର୍ମଚାରୀମାନଙ୍କୁ ମସ୍କଙ୍କ ନୂଆ ନିଷ୍ପତ୍ତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଅତିରିକ୍ତ ଘଣ୍ଟା କାମ କରିବାକୁ କହିଛନ୍ତି। ସୂତ୍ରରୁ ଆସୁଥିବା ସୂଚନା ଅନୁସାରେ କର୍ମଚାରୀଙ୍କ ସହ ଓଭରଟାଇମ ବେତନ ଓ ନିଯୁକ୍ତି ସୁରକ୍ଷା ବାବଦେ ଆଲୋଚନା ନ କରି ଅଧିକ କାମ କରିବାକୁ କୁହାଯାଉଛି। ଏଥିଲାଗି ଇଞ୍ଜିନିୟରମାନଙ୍କୁ ନଭେମ୍ବର ପ୍ରାରମ୍ଭ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରି ନ ପାରିଲା, ଏଥିରେ ସେମାନଙ୍କ ଚାକିରୀ ଯିବାର ମଧ୍ୟ ସମ୍ଭାବନା ରହିଛି।

ରିପୋର୍ଟ ଅନୁସାରେ ଏଲନମସ୍କ କର୍ମଚାରୀଙ୍କୁ ଆଦେଶ ପାଳନ ଲାଗି ବାଧ୍ୟ କରିବା ନିମନ୍ତେ ୫୦ ପ୍ରତିଶତ ନିଯୁକ୍ତି ହ୍ରାସର ଧମକ୍ ଦେଇଛନ୍ତି। ଏଲନ ମସ୍କ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ମୂଲ୍ୟ ବଢାଇବାକୁ ବ୍ଲୁ ଟିକ୍ ଲାଗି ଭେରିଫିକେସନ ପ୍ରକ୍ରିୟା ସଂଶୋଧିତ  ନିମନ୍ତେ ଯୋଜନା କରିଛନ୍ତି। ଏଥିଲାଗି ମସ୍କ ଟ୍ୱିଟର ଇଞ୍ଜିନିୟରମାନଙ୍କୁ ପେଡ ଭେରିଫିକେସନ ଫିଚର ଲଞ୍ଚ ନିମନ୍ତେ ନଭେମ୍ବର ୭ ତାରିଖକୁ ଡେଡଲାଇନ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ଇଞ୍ଜିନିୟର ତାଙ୍କ କାମ କରି ନପାରନ୍ତି ତେବେ ତାଙ୍କୁ ଚାକିରୀ ହରାଇବାକୁ ପଡିବ।

ଟ୍ୱିଟରରେ ବ୍ଲୁ ଟିକ୍‌ ଲାଗି ଏବେ ୟୁଜରଙ୍କୁ ପ୍ରତି ମାସରେ ୮ ଡଲାର ଅର୍ଥାତ ୬୬୦ ଟଙ୍କା ସବସ୍କ୍ରିପସନ  ନେବାକୁ ହେବ। ଏଥିଲାଗି ଏଲନମସ୍କ ଘୋଷଣା କରିଛନ୍ତି। ଏହାକୁ ନେଇ ଗତ କିଛି ସମୟ ହେଲା ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ଏଲନ ମସ୍କ ମଧ୍ୟ ଟ୍ୱିଟ୍‌ କରିଥିଲେ। ଏ ନେଇ ଥିବା ବ୍ୟବସ୍ଥାକୁ ସାମନ୍ତବାଦୀ କହିଥିଲେ। ଲୋକଙ୍କୁ ଅଧିକାର ମିଳିବା ଦରକାର ଓ ମାସିକ କେବଳ ୮ ଡଲାରରେ ଟ୍ୱିଟ୍‌ ଆକାଉଣ୍ଟକୁ ବ୍ଲୁ ଟିକ୍‌ ମିଳିବ ବୋଲି ସେ କହିଥିଲେ।

Spread the love