Budget 2022 : ପ୍ରତିରକ୍ଷା ବଜେଟ୍‌ରେ ଆତ୍ମନିର୍ଭର ଭାରତ ଉପରେ ଜୋର, ୫.୨୫ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ ୦୧।୦୨: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୫.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଏହା ଗତ ବର୍ଷ ପ୍ରତିରକ୍ଷା ବଜେଟ୍‌ଠୁ ୧୦ ପ୍ରତିଶତ ଅଧିକ ରହିଛି। ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୭୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା।

ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧.୫୨ ଲକ୍ଷ କୋଟି ଟଙ୍କା ସେନାର ଆଧୁନିକୀକରଣ ପାଇଁ ଆବଣ୍ଟିତ କରାଯାଇଛି। ଏଥିରେ ୬୮ ପ୍ରତିଶତ ପୁଞ୍ଜି ସ୍ଵଦେଶୀ ଉଦ୍ୟୋଗ ପାଇଁ ରହିବ। ଗତ ବର୍ଷ ତୂଳନାରେ ସେନାର ଆଧୁନିକୀକରଣ ପାଇଁ ୧୩ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି।

୧.୧୯ ଲକ୍ଷ କୋଟି ପ୍ରତିରକ୍ଷା ପେନସନ ବଜେଟ୍

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧.୧୯ ଲକ୍ଷ କୋଟି ଟଙ୍କାର ଆବଣ୍ଟନ ଡିଫେନ୍ସ ପେନସନ ବଜେଟ୍ ପାଇଁ କରାଯାଇଛି। ଏହାବାଦ ୨.୩୯ ଲକ୍ଷ କୋଟି ଟଙ୍କା ଅନ୍ୟ ଖର୍ଚ୍ଚ ପାଇଁ ଆବଣ୍ଟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ଵିଟ୍ କରିଛନ୍ତି ଯେ, ଗବେଷଣା ଏବଂ ବିକାଶ ପାଇଁ ପର୍ଯ୍ୟାପ୍ତ ଆବଣ୍ଟନ କରାଯାଇଛି।

ସେନାର ପ୍ରତିରକ୍ଷା ଉପକରଣ କ୍ରୟ ମାମଲାରେ ଆମଦାନୀ ହ୍ରାସ କରିବାକୁ ସରକାର ନିଜର ପ୍ରତିବଦ୍ଧତା ଜଣାଇଛନ୍ତି। ଏହି କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେବାକୁ ସରକାର ଜୋର ଦେଇଛନ୍ତି। ଘରୋଇ ଇଣ୍ଡଷ୍ଟ୍ରୀକୁ ମିଲିଟାରୀ ଉପକରଣ ଏବଂ ପ୍ଲାଟଫର୍ମକୁ ଡିଜାଇନ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଡିଆରଡିଓ ଏବଂ ଅନ୍ୟ ସଂସ୍ଥା ସହ ମିଶି ସେନା ପାଇଁ ସ୍ଵତନ୍ତ୍ର ଅସ୍ତଶସ୍ତ୍ର ଏବଂ ଯାନ ନିର୍ମାଣ କରାଯିବ।

Spread the love