ଯୁଦ୍ଧ ସମାପ୍ତିର ନିକଟବର୍ତ୍ତୀ ରୁଷ୍‌-ୟୁକ୍ରେନ୍‌

କିଭ : ରୁଷ-ୟୁକ୍ରେନ ଯୁଦ୍ଧ ୧୪ ଦିନ ଅତିକ୍ରାନ୍ତ କରିଛି। ତେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଏକ ବୟାନ ଯୁଦ୍ଧ ଘନଘଟା ହ୍ରାସ । ପୁଟିନ କହିଛନ୍ତି ଯେ, ୟୁକ୍ରେନ୍‌ ସରକାରକୁ କ୍ଷମତାଚ୍ୟୁତ କରିବା ରୁଷ୍‌ର ଅଭିପ୍ରାୟ ନୁହେଁ। ଯଦି ୟୁକ୍ରେନ୍‌ ନାଟୋ ସଦସ୍ୟତା ଗ୍ରହଣ କରିବା ଲାଗି ଚଳାଇଥିବା ଉଦ୍ୟମରୁ ଓହରି ନ ଆସେ, ତେବେ ଯୁଦ୍ଧ ଅବ୍ୟାହତ ରହିବ। ତେବେ ଦ୍ବିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନା କିଛିଟା ସକାରାତ୍ମକ ରହିଥିବା ପୁଟିନ୍‌ଙ୍କ ସୂଚନା ରୁଷ୍‌ର ନରମ ଆଭିମୁଖ୍ୟକୁ ଦର୍ଶାଇଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ରାଷ୍ଟ୍ରପତି  ଜେଲେନସ୍କି ମଧ୍ୟ ଦିନକ ପୂର୍ବରୁ କୋହଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାରମ୍ବାର ଅନୁରୋଧ ସତ୍ତ୍ବେ ନାଟୋ ସିଧାସଳଖ ୟୁକ୍ରେନ୍‌କୁ ସୈନ୍ୟ ସହଯୋଗ ନ ଦେବା ଏବଂ ୟୁକ୍ରେନ୍‌କୁ ନାଟୋରେ ସାମିଲ ନକରିବା ଜେଲେନସ୍କିଙ୍କ ଚିନ୍ତା ବଢାଇଛି। ଏହାଦ୍ବାରା ୟୁକ୍ରେନ୍‌ କଠୋର ଆକ୍ରମଣର ଶିକାର ହେଉଛି। ଆଉ ନାଟୋ ସଦସ୍ୟତା ଆମର ଦରକାର ନାହିଁ, ଆମେ ନିଜ ଅଧିକାର ପାଇଁ ନିଜେ ଲଢେଇ । ଗୋଟିଏ ପଟେ ପୁଟିନ ଓ ଅନ୍ୟପଟେ ଜେଲେନସ୍କିଙ୍କ ପରସ୍ପର ବିରୋଧୀ ନରମ ବୟାନ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ସମାପ୍ତିର ନିକଟବର୍ତ୍ତୀ ହୋଇପାରନ୍ତି ବୋଲି ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ରୁଷ ଆକ୍ରମଣରେ ୟୁକ୍ରେନର ୫ଶହରୁ ଅଧିକ ସାଧାରଣ ନାଗରିକ ସୈନ୍ୟଙ୍କର ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ୟୁକ୍ରେନର ପାଲଟା ଆକ୍ରମଣରେ ୧୨,୦୦୦ ରୁଷ ସୈନ୍ୟଙ୍କର ପ୍ରାଣହାନି ଘଟିଛି । ବୁଧବାର ଦିନ ୟୁକ୍ରେନର ସୁମିରେ ଅଟକି ରହିଥିବା ଅବଶିଷ୍ଟ ଭାରତୀୟ ଛାତ୍ରଙ୍କୁ ବସ୍‌ ଯୋଗେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯାଇଛି। ସେଠାରୁ ସେମାନେ ବିମାନରେ ସ୍ୱଦେଶ ଫେରିବେ। ରୁଷ ପକ୍ଷରୁ ଦିନକୁ ଦିନ ଆକ୍ରମଣ ଅଧିକ ଭୟାନକ ହେଉଥିବା ପରିପ୍ରେକ୍ଷୀରେ ଜେଲେନ୍‍ସ୍କି ଯୁଦ୍ଧାସ୍ତ୍ର, ସାମରିକ ଉପକରଣ ଏବଂ ଲଢୁଆ ବିମାନ ସହାୟତା ପଠାଇବା ବିଷୟ ବିଚାର କରିବାକୁ ପୋଲାଣ୍ଡ ଓ ଆମେରିକାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଲେ ଚଳିବ ନାହିଁ। ଏହା ତାଙ୍କ ଦେଶବାସୀଙ୍କ ଜୀବନ ମରଣ କଥା।
ଚେର୍ଣ୍ଣୋବିଲ୍‍ ପରମାଣୁ ପ୍ରକଳ୍ପକୁ ରୁଷ ସୈନ୍ୟ ଘେରି ରହିଥିବାବେଳେ ଉକ୍ତ ପ୍ରକଳ୍ପ ସମେତ ଏହାର ନିରାପତ୍ତା ବ୍ୟବସ୍ଥାକୁ ଶକ୍ତି ଗ୍ରୀଡ୍‍ରୁ ବିଦ୍ୟୁତ ସଂଯୋଗକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦିଆଯାଇଥିବା ୟୁକ୍ରେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଜାପୋରିଝିଆ ପରମାଣୁ ଶକ୍ତି ପ୍ରକଳ୍ପକୁ ମଧ୍ୟ ପ୍ରାୟ ୪୦୦ ରୁଷ ସୈନ୍ୟ ଦଖଲ କରି ରଖିଥିବାରୁ ସେ ସମ୍ପର୍କିତ କୌଣସି ତଥ୍ୟ ପଦାକୁ ଆସିପାରୁନାହିଁ। ତେବେ ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ପକ୍ଷରୁ କୌଣସି ପ୍ରକାର ପରମାଣୁ ଉସୁକାଇବା ଭଳି ଆପଦକୁ ଟାଳିବା ସକାଶେ ରୁଷ ସୈନ୍ୟମାନେ ଦୁଇଟି ପ୍ରକଳ୍ପକୁ ନିଜ ଦଖଲକୁ ନେଇଛନ୍ତି। ରୁଷ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମେରିକା ଏହା ବିରୋଧରେ ଅର୍ଥନୈତିକ ଯୁଦ୍ଧ ଆରମ୍ଭ କରିଛି।
ଦୁଇଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିଧ୍ୱଂସୀ ହେଉଥିବାବେଳେ ଆମେରିକାର ଉପ ରାଷ୍ଟ୍ରପତି କମଳା ହ୍ୟାରିସ୍‍ ପୋଲାଣ୍ଡ ଗସ୍ତ କରିଛନ୍ତି। ୟୁକ୍ରେନକୁ କିଭଳି ସାମରିକ ସହାୟତା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ପୋଲାଣ୍ଡ କର୍ତ୍ତୃପକ୍ଷଙ୍କ ସହିତ କମଳା ଆଲୋଚନା କରିଛନ୍ତିି। ଇତିମଧ୍ୟରେ ରୁଷ ଓ ବେଲାରୁଷ ବିରୋଧରେ କଟକଣା ଅଧିକ କଡାକଡି କରିବାକୁ ୟୁରୋପୀୟ ସଂଘ ରାଜି ହୋଇଛି। ଏପରିକି ଗତକାଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଘୋଷଣା ଅନୁଯାୟୀ, କେତେକ ୟୁରୋପୀୟ ରାଷ୍ଟ୍ର ରୁଷ୍‌ ଠାରୁ ତେଲ, ଗହମ ଓ କୋଇଲା ଆମଦାନୀ କରିବା ବନ୍ଦ କରିଦେଇଛନ୍ତି। ଏକ୍ଷେତ୍ରରେ ବେଲ୍‌ଜିୟମ୍‌ ୟୁରୋପୀୟ ରାଷ୍ଟ୍ରଙ୍କୁ ଅଶୋଧିତ ତୈଳ ଯୋଗାଇବା ଆରମ୍ଭ କରିଛି।
ଅନ୍ୟପକ୍ଷରେ ଏହାକୁ ନେଇ ରୁଷ ରାଷ୍ଟ୍ରପତି  ପୁଟିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ବିଶ୍ବଯୁଦ୍ଧ ଆଡ଼କୁ ନେଇଯିବ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି। ଆମେରିକାର ଏଭଳି ନିଷ୍ପତ୍ତି ରୁଷ୍‌ ପାଇଁ ଦେଶର ଅର୍ଥନୀତିକୁ ବିଗାଡିବାକୁ ଯାଉଛି। ସ୍ଥିତିକୁ ସ୍ଥିର ଅବସ୍ଥାକୁ ଆଣିବା ପାଇଁ ପୁଟିନ୍‌ ଦେଶର ଜାତୀୟ କଲ୍ୟାଣ ପାଣ୍ଠିକୁ ବ୍ୟବହାର କରିବେ ଓ ଏ ସଂକ୍ରାନ୍ତ ଏକ ଆଇନରେ ସେ ସ୍ୱାକ୍ଷର କରିଛନ୍ତିି। ଏଥିସହିତ ସେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ସତର୍କ କରାଇଦେଇ କହିଛନ୍ତି ଯେ, ରୁଷର କଟକଣା ଅଧିକ ବ୍ୟାପକ ହେବ ଏବଂ ତାହା ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକର ସମ୍ବେଦନଶୀଳ କ୍ଷେତ୍ର ଗୁଡିକରେ ପରିଲକ୍ଷିତ ହେବ। ତେବେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକର କଟକଣାକୁ ଚୀନ ନିନ୍ଦା କରିବା ସହିତ ଏହାଦ୍ୱାରା ବିଶ୍ୱ ଅର୍ଥନୀତି ମନ୍ଥର ହୋଇଯିବ ବୋଲି କହିଛି।
ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଆମେରିକା ନେତୃତ୍ବାଧୀନ ନାଟୋର ପରୋକ୍ଷ ସହଯୋଗ ଓ ବ୍ୟାପକ କଟକଣା ଲଢେଇକୁ ଭିନ୍ନ ଏକ ସଙ୍କଟ ଆଡ଼କୁ ଟାଣି ନେଉଥିବା ଜଣାପଡିଛି। ୟୁକ୍ରେନ୍‌ରୁ ନାଗରିକ ମାନଙ୍କ ବହୁସଂଖ୍ୟାରେ ପଳାୟନ ବୃହତ୍‌ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ରୁଷର ଲଢୁଆ ବିମାନ ଗୁଡିକ ୟୁକ୍ରେନର ପୂର୍ବ ଓ କେନ୍ଦ୍ରଭାଗରେ ଥିବା ଲକ୍ଷ୍ୟସ୍ଥଳ ଗୁଡିକ ଉପରେ ରକେଟ ଓ ବୋମାମାଡ ଜାରି ରଖିଛନ୍ତି।

Spread the love