ଆଜି ଇଂଲଣ୍ଡ-ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଭୂମିକମ୍ପରେ ଆଫଗାନିସ୍ତାନରେ ୨୦୦୦ ଲୋକଙ୍କ ଜୀବନ ଯିବା ଘଟଣା ଯେଉଁ ଦୁଃଖ ଦେଇଛି ତାହାକୁ ଭରଣା କରିବା ଅସମ୍ଭବ। ତଥାପି ଭାରତରେ ଚାଲିଥିବା ବିଶ୍ବକପ୍‌ରେ ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ଜିତି ଆଫଗାନିସ୍ତାନ ଏହାର ଦେଶବାସୀଙ୍କ ମୁହଁରେ ଟି‌କିଏ ହସ ଦେବାକୁ ଚେଷ୍ଟା କରିବ। ଏ‌ହି ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଅପରାହ୍ଣ ୨ଟାରେ ଖେଳାଯିବ। ମ୍ୟାଚ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଆଫଗାନିସ୍ତାନ ଖେଳାଳିମାନେ ହାତରେ କଳା ପଟି ପରିଧାନ କରିବେ।

ଗତ ବୁଧବାର ଆଫଗାନିସ୍ତାନ ୮ୱିକେଟ୍‌ରେ ଭାରତଠୁ ପରାଜିତ ହୋଇଥିବା ରାତିରେ ଏହି ଭୂମିକମ୍ପ ହୋଇଥିଲା। କିନ୍ତୁ ଏଥିରେ କୌଣସି ଖେଳାଳିଙ୍କ ପରିବାର ପ୍ରତ୍ୟେକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇନାହାନ୍ତି। ତଥାପି ନିଜ ଦେଶବାସୀଙ୍କ ସହିତ ଏଭଳି ସମୟରେ ଠିଆ ହେବା ପାଇଁ ସମସ୍ତ ଆଫଗାନିସ୍ତାନ ଖେଳାଳିମାନେ ସେମାନଙ୍କ ମ୍ୟାଚ୍‌ ଫି’କୁ ଦାନ କରିବାକୁ ବୁଧବାର ରାତିରେ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ରସିଦ ଖାନ୍‌ ତାଙ୍କ ଫାଉଣ୍ଡେସନ୍‌ ମାଧ୍ୟମରେ କ୍ଷତିଗ୍ରସ୍ତଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ୩୦ ହଜାର ପାଉଣ୍ଡରୁ ଅଧିକ ପାଣ୍ଠି ଯୋଗାଡ଼ କରିସାରିଲେଣି।

ଏଭଳି ହୃଦୟ ବିଦାରକ ଘଟଣା ସମୟରେ ଆଫଗାନିସ୍ତାନ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଆହ୍ବାନକୁ ମଧ୍ୟ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପୂର୍ବରୁ ୨୦୧୯ ବିଶ୍ବକପ୍‌ରେ ଇଂଲଣ୍ଡ ୧୫୦ରନ୍‌ରେ ଆଫଗାନିସ୍ତାନକୁ ହରାଇଥିଲା। ସେହି ମ୍ୟାଚ୍‌ରେ ଇଅନ ମୋର୍ଗାନ ୭୧ ବଲ୍‌ରୁ ୧୪୮ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। କିନ୍ତୁ ଏବେ ଆଫଗାନ୍‌ ଦଳ ନୂଆ ଉର୍ଜା ନେଇ ବିଶ୍ବକପ୍‌ ଖେଳିବାକୁ ଆସିଛି। ଇଂଲଣ୍ଡ ଯେଉଁଠି ଥିଲା ‌ଏବେବି ପାଖାପାଖି ସେହି ସ୍ଥାନରେ ରହିଛି। କିନ୍ତୁ ଆଫଗାନିସ୍ତାନ ଢେର ଉନ୍ନତି କରି ବଡ଼ବଡ଼ ଦଳଙ୍କୁ ଟକ୍କର ଦେଉଛି। ଭାରତ ବିପକ୍ଷ ଗତ ମ୍ୟାଚ୍‌ରେ ହସ୍‌ମତୁଲ୍ଲା ସାହିଦି ଓ ଅଜମାତୁଲ୍ଲା ଓମରଜାଇ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଦିଲ୍ଲୀ ପିଚ୍‌ ବ୍ୟାଟରଙ୍କୁ ସୁହାଉ ଥିବାରୁ ସେଠାରେ ଅଧିକ ରନ୍‌ ହେବା ନେଇ ଆଶା କରାଯାଇପାରେ। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ପରାଜିତ ହେବା ପରେ ବାଂଲାଦେଶକୁ ହରାଇ ଜୋସ ବଟଲରଙ୍କ ଦଳର ମନୋବଳ ଉଚ୍ଚ ରହିଛି।

Spread the love