ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଇଂଲଣ୍ଡ

ଜୋନି ବେୟାରଷ୍ଟୋଙ୍କ ଶତକ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଏଠାରେ ରିଭରସାଇଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଅତି ମହତ୍ଵପୂର୍ଣ୍ଣ ମ୍ୟାଚରେ ଆୟୋଜକ ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୯ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମିକୁ ଉନ୍ନୀତ ହୋଇଛି। ଅନ୍ୟ ପଟେ ନ୍ୟୁଜିଲାଣ୍ଡର ପରାଜୟ ପରେ ପାକିସ୍ତାନକୁ ଜୋରଦାର  ଝଟକା ଲାଗିଛି। ସେମି ଫାଇନାଲ ଯିବା ସମ୍ଭାବନା ବହୁତ କ୍ଷୀଣ  ହୋଇ ଯାଇଛି। କାରଣ ଯଦି ଆଜି ନ୍ୟୁଜିଲାଣ୍ଡ ଜିତିଥାନ୍ତା ଏବଂ ନିଜର ଶେଷ ମ୍ୟାଚରେ ବାଂଲାଦେଶକୁ ହରାଇଥିଲେ ପାକିସ୍ତାନ ସେମିକୁ ଉନ୍ନୀତ ହୋଇଥାନ୍ତା। ଏବେ ବିଶ୍ଵ କପ ୨୦୧୯ ସେମି ଫାଇନାଲରେ ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ପ୍ରବେଶ କରିଛନ୍ତି। କିନ୍ତୁ ସମୀକରଣକୁ ଦେଖିଲେ ପାକିସ୍ତାନ ତୂଳନାରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦୁଇ ଓପନର ଜୋନି ବେୟାରଷ୍ଟୋଙ୍କ ୧୦୬ ଓ ଜାସନ ରୟଙ୍କ ୬୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩୦୫ ରନ କରିଥିଲା। ଜବାବରେ ବ୍ୟାଟିଂ ବିଫଳତା ଯୋଗୁଁ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନରେ ଅଲଆଉଟ୍  ହୋଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲାଥମ ସର୍ବାଧିକ ୫୭ ରନ କରିଥିଲେ। ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଇଂଲଣ୍ଡ ମ୍ୟାଚକୁ ସହଜରେ ଜିତି ନେଇଛି। ସଫଳ ବୋଲର ଭାବେ ମାର୍କ ଉଡ ୩ଟି ଓ୍ଵିକେଟ୍ ନେଇଥିଲେ। ଶତକ ହାସଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିବା ଜୋନି ବେୟାରଷ୍ଟୋ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ  ହୋଇଛନ୍ତି।

Spread the love