ଟି-୨୦ ବିଶ୍ୱ କପ: ନ୍ୟୁଜିଲାଣ୍ଡକୁ ୨୦ ରନରେ ହରାଇଲା ଇଂଲଣ୍ଡ, ଗ୍ରୁପ ଏ’ର ପଏଣ୍ଟ ତାଲିକାର ଦ୍ୱିତୀୟରେ ପହଞ୍ଚିଲା ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୨ରେ ମଙ୍ଗଳବାର ଖେଳାଯାଇଥିବା ହାଇ ଭୋଲଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ ଦେଇଛି ଇଂଲଣ୍ଡ । କିୱି ଦଳରୁ ୨୦ ରନରେ ପରାସ୍ତ କରି ଗ୍ରୁପ ଏ’ର ପଏଣ୍ଟ ତାଲିକାର ଦ୍ୱିତୀୟରେ ପହଞ୍ଚିଛି ଇଂଲଣ୍ଡ ।

ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୬ ୱିକେଟ ହରାଇ ସ୍କୋର ବୋର୍ଡରେ ୧୭୯ ରନ ଲଗାଇବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡର ଦୁଇ ଓପନର ଜସ ବଟଲର ଏବଂ ଆଲେକ୍ସ ହାଲ୍ସ ଧୁଆଁଧାର ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ଅଧିନାୟକ ଜସ ବଟଲର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ବଟଲର ୪୭ ବଲରେ ୨ ଛକା ଏବଂ ୭ ଚୌକା ବଳରେ ୭୩ ରନ କରିଥିଲେ । ଆଲେକ୍ସ ହାଲ୍ସ ୫୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫରଗୁସନ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ।

୧୮୦ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମାନା କରିଥିଲା । ଦଳର ୮ ରନରେ ଓପନର କନୱେ ଆଉଟ ହୋଇଥିବା ବେଳେ ୨୮ ରନରେ ଦଳ ଦ୍ୱିତୀୟ ୱିକେଟ ଭାବେ ଫିନ ଆଲେନ ହରାଇଥିଲା। ମଧ୍ୟକ୍ରମରେ ଅଧିନାୟକ କେନ ୱିଲିୟମସନ ଏବଂ ଗ୍ଲେନ ଫିଲିପ୍ସ ଦଳକୁ ସମ୍ଭାଳିଥିଲେ କିନ୍ତୁ ବିଜୟୀ କରାଇ ପାରି ନଥିଲେ । ୱିଲିୟମସନ ୪୦ ବଲରୁ ୪୦ ରନ କରିଥିବା ବେଳେ ଇନ ଫର୍ମ ଫିଲିପ୍ସ ୩୬ ବଲରେ ୬୨ ରନ କରିଥିଲେ । କିୱି ଦଳକୁ ୨୦ ଓଭର ୬ ୱିକେଟ ହରାଇ ୧୫୯ ରନରେ ସୀମିତ ରଖିବାରେ ଇଂଲଣ୍ଡ ସଫଳ ହୋଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ୱୋକ୍ସ ଏବଂ ସାମ କୁରାନଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଛି ।

Spread the love