କମିଲା E.P.F ସୁଧହାର

ନୂଆଦିଲ୍ଲୀ:  EPF ଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟିମାନଙ୍କ ବୈଠକ ଶନିବାର ବସିଥିଲା। ଏହି ବୈଠକରେେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF)ର ଜମାପୁଞ୍ଜି ଉପରେ ସୁଧହାରକୁ ୨୦୨୧-୨୨ ବିତ୍ତୀୟ ବର୍ଷ ପାଇଁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି।  ଗତବର୍ଷ ମାର୍ଚ୍ଚରେ ଇପିଏଫଓ ବୋର୍ଡ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧହାର ପାଇଁ ଚୂଡାନ୍ତ ସୁପାରିସ କରିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ୮.୫% ସୁଧହାର ରହିଥିଲା ମାତ୍ର ଚଳିତବର୍ଷ ପାଇଁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି।ସୁଧହାର ହ୍ରାସ ସଂପର୍କରେ କୁହାଯାଇଛି ଯେ, କୋଭିଡ୍‌ ମହାମାରୀ ସମୟରେ EPF ପାଣ୍ଠିକୁ କମ୍‌ ଅର୍ଥ ଆସିଥିବାବେଳେ ଅଧିକ ପରିମାଣର ଉଠାଣ କରାଯାଇଛି। ଇପିଏଫଓ ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୧ ସୁଦ୍ଧା ୫୬ ଲକ୍ଷ ୭୯ ହଜାର ହିତାଧିକାରୀ ୧୪,୩୧୦.୨୧ କୋଟି ଟଙ୍କା ଅଗ୍ରୀମ (Advance) ଅର୍ଥ ଉଠାଣ କରିଛନ୍ତି। ପୂର୍ବରୁ EPFର ଅପେକ୍ଷାକୃତ ଅଧିକ ସୁଧକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶ୍ନ ମଧ୍ୟ ଉଠାଯାଇଥିଲା। ଏହାକୁ ସାଧାରଣ ସୁଧହାର ବ୍ୟବସ୍ଥାକୁ ଆଣିବା ଲାଗି ୮ ପ୍ରତିଶତରେ ରଖିବାକୁ କୁହାଯାଇଥିଲା। ସାଧାରଣତଃ ସ୍ବଳ୍ପ ସଞ୍ଚୟ କ୍ଷେତ୍ରରେ ସମସ୍ତ ସୁଧହାର ସଦ୍ୟ ତୈମାସିକ ସମୟରେ ୪ରୁ ୭.୬ ପ୍ରତିଶତ ଭିତରେ ରହିଥିବାବେଳେ ଇପିଏଫ କ୍ଷେତ୍ରରେ ସୁଧହାର ଅଧିକ ରହୁଛି। ବିଶେଷକରି ସାଧାରଣ ବଜାରରେ ସୁଧହାର ହ୍ରାସ ସତ୍ତ୍ବେ ସ୍ବଳ୍ପସଞ୍ଚୟ ଜମା ସୁଧ ଉପରୋକ୍ତ ହାରରେ ସ୍ଥିର ରହିଛି। ସୂଚନାଯୋଗ୍ୟ, ୨୦୧୮-୧୯ରେ EPF ସୁଧହାର ୮.୬୫ ପ୍ରତିଶତ ଥିବାବେଳେ ଗତ ଦୁଇବର୍ଷ ହେଲା ଏହା ୮.୫ ପ୍ରତିଶତ ରହିଥିଲା। ପ୍ରକାଶଥାଉକି, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଭୟ ବ୍ୟାବସାୟିକ ଓ କର୍ମଚାରୀ ପକ୍ଷର ପ୍ରତିନିଧିଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(CBT) EPF ସୁଧହାର ସଂପର୍କରେ ନିଷ୍ପତ୍ତି ନେଇ ଅର୍ଥ ମନ୍ତ୍ରଣାଳୟକୁ ସୁପାରିସ କରିଥାଏ।

Spread the love