୧୨ ଅଭିନେତ୍ରୀଙ୍କ ଉପରେ କଟକଣା ଲଗାଇଲା ଇରାନ୍

ତେହେରାନ: ଇରାନରେ ୧୨ ଜଣ ମହିଳା କଳାକାରଙ୍କୁ ଫିଲ୍ମ ଓ ଟିଭି ଧାରାବାହିକରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ମହିଳା କଳାକାରମାନେ ଇସ୍ଲାମିକ ରିପବ୍ଲିକର କଠୋର ଡ୍ରେସ୍ କୋଡ୍ ପାଳନ କରିବାରେ ବିଫଳ ହୋଇଛନ୍ତି। ଇସ୍ଲାମିକ ରିପବ୍ଲିକ୍ ଡ୍ରେସ୍ କୋଡ୍ ରେ ହେଡ୍ ସ୍କାର୍ଫ ବାଧ୍ୟତାମୂଳକ, କିନ୍ତୁ ଏହାକୁ ମଧ୍ୟ ପାଳନ କରାଗଲା ନାହିଁ। ସେଥିପାଇଁ ସେମାନଙ୍କୁ ନିଷିଦ୍ଧ କରାଯାଇଛି।

ଇରାନର ସଂସ୍କୃତି ଏବଂ ଇସଲାମିକ ମାର୍ଗଦର୍ଶନ ମନ୍ତ୍ରୀ ମହମ୍ମଦ ମେହେଦି ଏସମାଇଲି ସାପ୍ତାହିକ କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆଇନ ମାନିବେ ନାହିଁ ସେମାନଙ୍କୁ କାମ କରିବାକୁ ଦିଆଯିବ ନାହିଁ।

ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ତରଣେହ ଅଲିଡୋସ୍ତି, କାଟ୍ୟୁନ୍ ରିୟାହି ଏବଂ ଫତେମେହ ମୋଟାମେଡ୍ ଆରିଆଙ୍କ ସମେତ ୧୨ ଜଣ କଳାକାରଙ୍କ ଉପରେ ଡ୍ରେସ୍ କୋଡର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଫିଲ୍ମରେ କାମ କରିବାକୁ ଅନୁମତି ମିଳିବ ନାହିଁ । ୧୯୭୯ ରେ ଇରାନର ଇସଲାମିକ ବିପ୍ଳବ ପରେ ୧୯୮୩ ମସିହାରୁ ମହିଳାମାନଙ୍କୁ ବେକ ଓ ମୁଣ୍ଡ ଢାଙ୍କିବାକୁ ପଡ଼ୁଛି। ତେବେ ମହିଳାମାନେ ଡ୍ରେସ୍ କୋଡ୍ କୁ କ୍ରମାଗତ ଭାବେ ଉଲ୍ଲଂଘନ କରୁଛନ୍ତି। ଇରାନ ଗତ କିଛି ମାସ ମଧ୍ୟରେ ହିଜାବ ନିୟମ ଉଲ୍ଲଂଘନ କରୁଥିବା ମହିଳା ଏବଂ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କୁ ଜୋରଦାର କରିଛି ।

Spread the love