ଅଭିନେତା ଇରଫାନ ଖାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୋକ

ଅଭିନେତା ଇରଫାନ ଖାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କୁ ମୃତ୍ୟୁ ଚଳଚ୍ଚିତ୍ର ଓ ଥିଏଟର ଜଗତ ପାଇଁ ଏକ କ୍ଷତି ବୋଲି ସେ ପ୍ରକାଶ କରିଛନ୍ତି । ଏନେଇ ନିଜ ଟ୍ୱିଟରରେ ପ୍ରକାଶ କରିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ବିୟୋଗରେ ନିଜର ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ବହୁମୁଖୀ ପ୍ରତିଭାକୁ ସମ୍ମାନ ଜଣାଇବା ସହ ତାଙ୍କର ବିଭିନ୍ନ ମାଧ୍ୟମଗୁଡିକରେ ତାଙ୍କୁ ଉଚ୍ଚକୋଟୀର ଅଭିନୟ ପାଇଁ ସେ ସ୍ମରଣ ରହିବେ ବୋଲି ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି, ‘ଇରଫାନ ଖାନଙ୍କ ଦେହାନ୍ତ ସିନେମା ଏବଂ ଥିଏଟର ଜଗତ ପାଇଁ ଏକ କ୍ଷତି । ବିଭିନ୍ନ ମାଧ୍ୟମଗୁଡିକରେ ତାଙ୍କର ବହୁମୁଖୀ ପ୍ରଦର୍ଶନ ପାଇଁ ତାଙ୍କୁ ସ୍ମରଣ କରାଯିବ । ଶୋକସନ୍ତପ୍ତ ପରିବାର, ବନ୍ଧୁ ଏବଂ ପ୍ରଶଂସକ ମାନଙ୍କୁ ମୁଁ ସମବେଦନା ଜଣାଉଛି । ତାଙ୍କ ଆତ୍ମାର ସଦଗତି ପ୍ରାପ୍ତ ହେଉ ।’

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ନିଜ ଟ୍ୱିଟରରେ ଲେଖିଛନ୍ତି, ‘ଇରଫାନ୍ ଖାନଙ୍କ ଦେହାନ୍ତ ଖବର ବେଶ ଦୁଃଖଦ । ସେ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି କଳା ଜଗତରେ ଖ୍ୟାତି ଓ ମାନ୍ୟତା ଅର୍ଜନ କରିଥିଲେ । ଇରଫାନ ଆମର ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ସମ୍ପତ୍ତି ଥିଲେ । ତାଙ୍କ ବିୟୋଗରେ ଦେଶ ଏକ ଅସାଧାରଣ ଅଭିନେତା ଓ ଦୟାଳୁ ବ୍ୟକ୍ତିଙ୍କୁ ହରାଇଛି । ତାଙ୍କ ପରିବାର ଏବଂ ଅନୁଗାମୀମାନଙ୍କୁ ମୋର ସମବେଦନା ଜଣାଉଛି ।’

Spread the love