୬:୪ ବିଭାଜିତ ଭୋଟରେ ମହୁଆ ମୈତ୍ରଙ୍କୁ ‘ସଂସଦରୁ ବହିଷ୍କାର’ ନିଷ୍ପତ୍ତିକୁ ଅନୁମୋଦନ କଲା ସଦାଚାର କମିଟି

ନୂଆଦିଲ୍ଲୀ: ତଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ସଦାଚାର (ଏଥିକ୍ସ) କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ସୂତ୍ରରୁ ପ୍ରକାଶ ଯେ ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ଭୋଟ୍‌ ଦେଇଥିଲେ। ସଦାଚାର କମିଟିର ଅଧ୍ୟକ୍ଷ ବିନୋଦ ସୋନାକର କହିଛନ୍ତି ଯେ ଏହି ରିପୋର୍ଟ ଆସନ୍ତାକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ। ମହୁଆଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ତାହା ବାଚସ୍ପତି ବିର୍ଲା ନିର୍ଣ୍ଣୟ କରିବେ ବୋଲି ସୋନାକର ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ଖବର ଆସିଛି କି ତୃଣମୂଳ ସାଂସଦ ମହୁଆ ମୈତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଗୁରୁତର ସ୍ବାଧୀକାର ଭଙ୍ଗ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସଦାଚାର କମିଟି ରିପୋର୍ଟ ଚୂଡ଼ାନ୍ତ ନ ହେଉଣୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାର ସର୍ବସାଧାରଣରେ ପ୍ରକାଶ କରିଛି। ଏହା ନିଶ୍ଚିତ ଭାବେ ତାଙ୍କର ସ୍ବାଧିକାର ଭଙ୍ଗ କରୁଛି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।

ସୂତ୍ର ଅନୁଯାୟୀ, ଡ୍ରାଫ୍‌ଟ ରିପୋର୍ଟରେ ସାଂସଦ ମୈତ୍ରଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଜଘନ୍ୟ ଏବଂ ଅପରାଧିକ ବୋଲି ଦର୍ଶାଇ ତାଙ୍କ ସଦସ୍ୟତା ବାତିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଅନେକ ବିରୋଧୀ ସାଂସଦ ଏନେଇ ନିଜର ଆପତ୍ତି ରଖିଥିଲେ। ପରେ କମିଟି ସଦସ୍ୟମାନେ ଏହି ପ୍ରସଙ୍ଗରେ ଭୋଟ୍‌ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

ମହୁଆ ମୈତ୍ରଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ବୋଲି କହିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାଖଲ କରିଥିବା ୫୦୦ ପୃଷ୍ଠାସମ୍ବଳିତ ରିପୋର୍ଟରେ ‘ଏଥିକ୍ସ୍‌ କମିଟି’ କହିଛି। କମିଟି ସୁନିଶ୍ଚିତ କରିଛି ଯେ, ମହୁଆ ମୈତ୍ର ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ‘ୟୁଜର୍‌ ଆଇଡି’ ସେୟାର୍‌ କରିଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି।  ତେଣୁ, ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଉ।

ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ହେଉଛି ଦୁହିଁଙ୍କ ମଧ୍ୟରେ ହୋଇଥିବା ରାଜିନାମାର ଅଂଶବିଶେଷ। ଏହାକୁ ଭାରତ ସରକାର ଆଇନଗତ ଓ ବିଧିବଦ୍ଧ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ କରିବା ଉଚିତ। ସଂସଦର ଶୀତକାଳୀନ ଅଧିବେଶନରେ ଏହି ରିପୋର୍ଟ ଦାଖଲ କରାଯିବ ଏବଂ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love