ଆଜି ବିଜେପିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଏହି ରାଜନୈତିକ ହଲଚଲକୁ ଅଧିକ ତୀବ୍ର କରିଛି। ଚର୍ଚ୍ଚା ହେଉଛି, ଜେଏମଏମ୍ ଛାଡ଼ି ଆଜି ବିଜେପିରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ୍। ନିଜ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ ହଟାଇ ଦେଇଛନ୍ତି । ଏହାଛଡ଼ା ଚମ୍ପାଇ ସୋରେନଙ୍କ ବାସଭବନରୁ ମଧ୍ୟ ଜେଏମଏ ପତାକାକୁ ହଟାଇ ଦିଆଯାଇଛି । ବିଜେପିର ବରିଷ୍ଠ ନେତାଙ୍କ ସହ ଚମ୍ପାଇ ଯୋଗାଯୋଗରେ ଅଛନ୍ତି, ଖୁବ ଶୀଘ୍ର ତାଙ୍କ ସହ ବୈଠକ ହେବ ବୋଲି କୁହାଯାଉଛି । ତେଣୁ ବୈଠକ ପରେ ଚମ୍ପାଇ ଆଜି ବିଜେପିର ବିଧିବଦ୍ଧ ଭାବେ ସାମିଲ ହେବା ଚର୍ଚ୍ଚା ଚାଲିଛି । ଏ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ଚମ୍ପାଇ ସୋରେନଙ୍କ ସୋସିଆଲ ମିଡିଆ ପୋଷ୍ଟ। ଯେଉଁଥିରେ ନିଜ ଭିତରେ ଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଥିଲା ବେଳେ କିପରି ତାଙ୍କୁ ଅପମାନିତ କରାଯାଇଥିଲା, ସେ କଥା କହି ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ବହୁତ ଅପମାନ ହୋଇଛି। ବିଧାୟକ ଦଳ ବୈଠକରେ ଡକାଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପାଇଁ କୁହାଗଲା। ବୋଧହୁଏ ଏହାଠାରୁ ଅଧିକ ଅପମାନ କେବେ ମିଳିନଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଚମ୍ପାଇ ସୋରେନ। ଏଥିସହ ସେ ଲେଖିଛନ୍ତି ତାଙ୍କ ଆଗରେ ଏବେ ସବୁ ବିକଳ୍ପ ଖୋଲା ରହିଛି । ସେପଟେ ଚମ୍ପାଇଙ୍କ ସହ ୬ ବିଧାୟକ ଯଦି ବିଜେପିରେ ମିଶନ୍ତି, ତାହେଲେ ଜେଏମଏମ ପାଇଁ ଅଡୁଆ ବଢ଼ିପାରେ ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ବିଦ୍ରୋହ । ଖୋଲାଖୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କୁ ସେ ବିରୋଧ କରିଛନ୍ତି । ଏପରିସ୍ଥିତିରେ ଯଦି ଚମ୍ପାଇ ସୋରେନ ଜେଏମଏମ ଛାଡି ବିଜେପିରେ ସାମିଲ ହୁଅନ୍ତି, ତେବେ ଏହା ମେଣ୍ଟ ସରକାରର ଅଡୁଆ ବଢାଇବ। ଚମ୍ପାଇଙ୍କ ସମେତ ଜେଏମଏମ ଓ କଂଗ୍ରେସର ୬ଜଣ ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଯାହା ଚର୍ଚ୍ଚା ହେଉଛି । ଏହା ସତ ହେଲେ ହେମନ୍ତ ସୋରେନଙ୍କ ସରକାର ଅଳ୍ପମତକୁ ଚାଲି ଆସିବା ଆଶଙ୍କା ରହିଛି । ଆସନ୍ତୁ ନଜର ପକାଇବା ଝାଡ଼ଖଣ୍ଡର ବିଧାନସଭା ଗଣିତ ଉପରେ ।
ଝାଡ଼ଖଣ୍ଡ ବିଧାନସଭା ଗଣିତ
ମୋଟ ବିଧାନସଭା ଆସନ -୮୬
ଏବେ ୭ଟି ବିଧାନସଭା ଆସନ ଖାଲି ରହିଛି
ମୋଟ ବିଧାୟକଙ୍କ ସଂଖ୍ୟା- ୭୫
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା-୨୬
ବିଜେପି- ୨୨
କଂଗ୍ରେସ- ୧୬
ଆଜସୁ ପାର୍ଟି – ୦୩
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ପ୍ରଜାତାନ୍ତ୍ରିକ-୦୨
ସିପିଆଇଏମଏଲ-୦୧
ଏନସିପି- ୦୨
ଆରଜେଡି-୦୧
ନିର୍ଦ୍ଦଳୀୟ- ୦୧
ମନୋନୀତ-୦୧

ଝାଡ଼ଖଣ୍ଡ ବିଧାନସଭା ଗଣିତ
ଇଣ୍ଡି ମେଣ୍ଟ
ଜେଏମଏମ -୨୬
କଂଗ୍ରେସ-୧୭
ଆରଜେଡି -୦୧
ସିପିଆଇଏମଏଲ-୦୧
ମୋଟ ବିଧାୟକ ସଂଖ୍ୟା – ୪୫
ଝାଡ଼ଖଣ୍ଡ ବିଧାନସଭା ଗଣିତ
ଏନଡିଏ ମେଣ୍ଟ
ବିଜେପି- ୨୪
ଆଜସୁ ପାର୍ଟି – ୦୩
ଏନସିପି-୦୧
ନିର୍ଦ୍ଦଳୀୟ -୦୨
ମୋଟ ବିଧାୟକ ସଂଖ୍ୟା – ୩୦

ଚମ୍ପେଇ ସୋରେନ ଓ ୬ର ୭ ବିଧାୟକ ମେଣ୍ଟ ସରକାର ଛାଡ଼ିଲେ
ଝାଡ଼ଖଣ୍ଡରେ ସମୀକରଣ ବଦଳିବ
ଅଳ୍ପମତକୁ ଆସିପାରେ ହେମନ୍ତ ସୋରେନ ସରକାର
ଏପରି ସ୍ଥିତିରେ ଅବିଶ୍ବାସ ପ୍ରସ୍ତାବ ଦେଇପାରନ୍ତି ବିରୋଧୀ
ମେଣ୍ଟ ଛାଡ଼ିଥିବା ନେତା ଅବିଶ୍ବାସ ପ୍ରସ୍ତାବ ସପକ୍ଷରେ ଭୋଟ ଦେବେ

Spread the love