ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲା: କନିଷ୍ଠ ଯନ୍ତ୍ରୀଙ୍କୁ ତିନି ବର୍ଷ ଜେଲଦଣ୍ଡ

ଜୟପୁର: ଆୟବର୍ହିଭୁତ ସଂପତ୍ତି ଠୁଳ ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପଟେ ସରୋଜଙ୍କ ସ୍ତ୍ରୀ ଦିପ୍ତୀରାଣୀ ପଣ୍ଡାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, ୧୯୯୮ମସିହାରେ ସରୋଜ ପଣ୍ଡା କନିଷ୍ଠ ଯନ୍ତ୍ରୀ (ଜେଆରୱାଇ) ଭାବେ ଚାକିରିରେ ମୁନିଗୁଡା ବ୍ଲକରେ ଯୋଗ ଦେଇଥିଲେ।୧୯୯୮ମସିହାରୁ ୨୦୨୩ ମୁନିଗୁଡା, ଏହା ପରେ ୨୦୦୩ମସିହାରୁ ୨୦୦୮ମସିହା ଯାଏଁ ଗୁଣୁପୁର ବ୍ଲକରେ କାମ କରିଥିଲେ। ତାଙ୍କ ନାଁରେ ୧୯୯୮ମସିହାରୁ ୨୦୧୦ମସିହା ମଧ୍ୟରେ ଆୟବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ୨୦୧୧ମସିହା ମାର୍ଚ୍ଚ ୨୪ତାରିଖ ଦିନ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନସ୍ ପକ୍ଷରୁ ଗୁଣୁପୁର, ଭଂଜନଗର, କବିସୂର୍ଯ୍ୟନଗର, ବ୍ରହ୍ମପୁର ଘର ଓ ଜମି ଉପରେ ଭିଜିଲାନସ୍ ଚଢ଼ାଉ କରିଥିଲେ। ତାଙ୍କ ନିକଟରେ ୫୬ଲକ୍ଷରୁ ଊର୍ଦ୍ଧ୍ବ ଅର୍ଥାତ ୧୦୫ ପ୍ରତିଶତ ଆୟ ରହିଥିବା ଭିଜିଲାନସ୍ ଚିହ୍ନଟ କରିଥିଲେ। ଭିଜିଲାନସ୍ ତତ୍କାଳୀନ ଗୁଣୁପୁର କନିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡାଙ୍କ ସହ ତାଙ୍କ ପତ୍ନୀ ଦୀପ୍ତିରାଣୀଙ୍କୁ ମଧ୍ୟ ସହ ଅପରାଧି ଭାବେ ମାମଲା ରୁଜୁ କରିଥିଲେ। ଏହାପରେ ଶ୍ରୀମତୀ ପଣ୍ଡା କିଛି କାଗଜପତ୍ର ଭିଜିଲାନସ୍ କୋର୍ଟରେ ଦାଖଲ କରିବା ପରେ ତାହାର ପୁନଃବିଚାର କରି ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ସରୋଜ ପଣ୍ଡାଙ୍କ ୩୫ଲକ୍ଷ ୯୫ହଜାର ୧୯୮ଟଙ୍କା ସରକାରୀ ତହବିଲକୁ ନେବାକୁ ନିର୍ଦେଶ ଦେଇଛନ୍ତି।

ଭିଜିଲାନସ୍ ଦଫା ୧୩(୨) ଅଫ ୧୩(୧)(ଇ) ଓ ରିଡ୍ ୱିଥ୍ ପିସି ଆକ୍ଟ ୧୯୮୮ ଓ ଆଇପିସିର ୧୦୯ରେ ଅଭିଯୁକ୍ତ ସରୋଜକୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ସଂପ୍ରତି ଅଭିଯୁକ୍ତ ସରୋଜ ପଣ୍ଡା ରାୟଗଡା ବ୍ଲକରେ କନିଷ୍ଟ ଯନ୍ତ୍ରୀ ଭାବେ କାର୍ଯ୍ୟରତ। ଓଡିଶା ଭିଜିଲାନସ୍ ପକ୍ଷରୁ ଏହି ସରୋଜଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ରାଜ୍ୟସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।

Spread the love