ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ

ମହାରାଷ୍ଟ୍ର ବିଜେପିକୁ ଲାଗିଛି ଆଜି (ମଙ୍ଗଳବାର) ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଚନ୍ଦ୍ରକାନ୍ତ ପାଟିଲଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି ଯେ ସେ ରାଜ୍ୟ ବିଜେପି ୟୁନିଟରୁ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

‘ମୁଁ ଦଳ ପାଇଁ କାମ କରିବାକୁ ଇଚ୍ଛୁକ, କିନ୍ତୁ ଦଳ ମୋତେ ସୁଯୋଗ ଦେଉନାହିଁ, ତେଣୁ ମୁଁ ଏହି ପଦକ୍ଷେପ ନେଇଛି’ ବୋଲି ଗଣମାଧ୍ୟମକୁ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ। ବିଜେପିର ଏହି ଭେଟେରାନ ନେତା କହିଛନ୍ତି ଯେ ସେ ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ମୁଁ ବର୍ତ୍ତମାନ ସଂସଦର ସଦସ୍ୟ କିମ୍ବା ବିଧାନସଭା ସଦସ୍ୟ ହେବାକୁ ଚାହୁଁ ନାହିଁ। ମୁଁ ଦଳକୁ ସାଂଗଠନିକ ସ୍ତରରେ ମଜବୁତ କରିବା ପାଇଁ କାମ କରିବାକୁ ଚାହୁଁଛି ଏବଂ ଏକ ଦଶନ୍ଧି ଧରି ମୁଁ ଏଭଳି ଦାୟିତ୍ୱ ମାଗୁଛି। ତଥାପି, ଦଳ ମୋତେ ଏଥିପାଇଁ ମୋତେ ସୁଯୋଗ ଦେଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ରାଜ୍ୟରେ ଦଳକୁ ସୁଦୃଢ଼ କରାଇବାକୁ ଉଦ୍ୟମ କରିଛନ୍ତି ସେମାନଙ୍କୁ ଦଳ ଚାହୁଁ ନାହିଁ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଜୟସିଂରାଓ ଗାଇକୱାଡଙ୍କ ଇସ୍ତଫା ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

Spread the love