ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ ଜନିତ ତ୍ରୁଟି ଯୋଗୁଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହୋଇଛି ଆକାଉଣ୍ଟାଣ୍ଟ ପରୀକ୍ଷା | ମିଳିଥିବା ସୂଚନା ମୁତାବକ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦ୍ବାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା | ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ | ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି‌ ନ ଥିଲେ। ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍‌ ନ ଥିଲା। ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ଟଙ୍କା’ ବଦଳରେ ‘ଟଙ୍‌କାର’। ଏଭଳି ପ୍ରଶ୍ନ ଦେଖି ହଲ୍‌ ଭିତରେ ପରୀକ୍ଷାର୍ଥୀ ବାଉଳା ହୋଇ ପରସ୍ପରକୁ ଚାହିଥିଲେ। ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ।
ବରଂ ଉପରିସ୍ଥ ଅଧିକାରୀମାନଙ୍କୁ ଏବିଷୟରେ ଜଣାଯିବ କହି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ। ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍‌ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେବେ ଏହାକୁ ନେଇ ଓଏସଏସସି ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷା ବାତିଲ ହୋଇଛି | ପୁଣିଥରେ ପରୀକ୍ଷା କରାଯିବ ଓ ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ |

Spread the love