୨୨ରେ ନିର୍ଭୟା ଦୋଷୀଙ୍କୁ ମିଳିବନି ଫାଶୀ!

ପୁଣି ନିର୍ଭୟାଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟା ବିଳମ୍ବ ହୋଇପାରେ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ମିଳିବ ବୋଲି ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ, ଅକ୍ଷୟ ଓ ବିନୟଙ୍କ ମଧ୍ୟରୁ ମୁକେଶ କ୍ଷମା ଆବେଦନ ବା ମର୍ସି ପିଟିସନ ଦାଖଲ କରିଛି। ତେଣୁ ଏହାର ଶୁଣାଣି ନ ହେବା ଯାଏ କାହାକୁ ବି ଫାଶୀ ଦେଇହେବ ନାହିଁ।

ବର୍ତ୍ତମାନ ତିହାର ଜେଲରେ ୪ ଦୋଷୀ ବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜାନୁଆରୀ ୭ରେ ଦିଲ୍ଲୀ କୋର୍ଟ ମୃତ୍ୟୁ ପରୱାନା ଜାରି କରିଥିଲେ।

ଆଜି ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲା ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ୍‌ ମନମୋହନ ଓ ଜଷ୍ଟିସ ସଂଗୀତା ଧିଙ୍ଗ୍ରା ଶେହଗଲଙ୍କ ଖଣ୍ଡପୀଠକୁ କୁହାଯାଇଛି ଯେ ଦୋଷୀ ଅଭିଯୁକ୍ତ ମୁକେଶ ରାଜକ୍ଷମା ଆବେଦନ କରିଛି। ତେବେ ସେ ଡେଥ ୱାରେଣ୍ଟକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନ ପ୍ରିମ୍ୟାଚୁର। ତଥାପି କ୍ଷମା ଆବେଦନ ରଦ୍ଦ ନ ହେବା ଯାଏ ଡେଥ ୱାରେଣ୍ଟକୁ କାର୍ଯ୍ୟକାରୀ କରିହେବ ନାହିଁ। ଯେଉଁ ପର୍ଯ୍ୟନ୍ତ କ୍ଷମା ଆବେଦନର ଶୁଣାଣି ହୋଇନାହିଁ, ସେ ଯାଏ ୪ ଜଣଙ୍କ ମଧ୍ୟରୁ କାହାକୁ ବି ଫାଶୀ ଖୁଣ୍ଟରେ ଝୁଲା ଯାଇପାରିବ ନାହିଁ।ନିୟମ ଅନୁଯାୟୀ, କ୍ଷମା ଆବେଦନ ଖାରଜ ହେବା ପରେ ଜଣେ ଦୋଷୀକୁ ୧୪ ଦିନର ନୋଟିସ୍‌ ଦିଆଯାଏ। ଗତକାଲି ମୁକେଶ କ୍ଷମା ଆବେଦନ କରିଛି। ତେଣୁ କ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲା ଯାଇ ପାରିବ ନାହିଁ।ହାଇକୋର୍ଟ କହିଛନ୍ତି, “ଟ୍ରାଏଲ କୋର୍ଟ ଡେଥ ୱାରେଣ୍ଟ ଜାରି କରି କୌଣସି ଭୁଲ କରିନାହାନ୍ତି। ଦୋଷୀମାନେ ଯେଉଁ ଟ୍ରାଏଲ କୋର୍ଟ ସେମାନଙ୍କ ନାଁରେ ଡେଥ ୱାରେଣ୍ଟ ଜାରି କରିଥିଲେ, ଏବେ ସେଠାରେ ହିଁ କ୍ଷମା ଆବେଦନ ସମ୍ପର୍କରେ ଜଣାଇ ପାରିବେ।

କ୍ଷମା ଆବେଦନ ରାଷ୍ଟ୍ରପତି ହିଁ ବିଚାର କରିବେ। ତେଣୁ ଏବେ ସମସ୍ତଙ୍କ ନଜର ରାଷ୍ଟ୍ରପତିଙ୍କ ଉପରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହେର କହିଛନ୍ତି, “ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବା ପରେ ହିଁ ଯାଇ ଡେଥ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ। ଯେଉଁ ପର୍ଯ୍ୟନ୍ତ ଏପରି ହୋଇନାହିଁ, କେମିତି ସମସ୍ତଙ୍କୁ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯିବ? ଦୋଷୀମାନେ ବେଶ ଚାଲକ। ସେଥିପାଇଁ ସେମାନେ ପର୍ଯ୍ୟାୟକ୍ରମେ କ୍ଷମା ଆବେଦନ କରୁଛି। ଏହା ଦ୍ୱାରା ଫାଶୀ ଦେବାର ସମୟ ଗଢ଼ି ଚାଲିଛି।”ନର୍ଭୟାଙ୍କ ମା’ କହିଛନ୍ତି, “ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁରନ୍ତ ସମସ୍ତଙ୍କ କ୍ଷମା ଆବେଦନକୁ ଖାରଜ କରନ୍ତୁ। ସେମାନଙ୍କୁ ଧାର୍ଯ୍ୟ ତାରିଖରେ ହିଁ ଫାଶୀରେ ଝୁଲାଯିବା ଦରକାର। ସେମାନେ ଯେଉଁ କୋର୍ଟକୁ ଗଲେ ବି ଏହାର ବିଚାର କରାନ ଯାଉ।”ତେବେ ଫେବୃଆରୀ ୧୧ ପୂର୍ବରୁ ନର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ସମ୍ଭାବନା କମ ବୋଲି ଜଣେ ବରିଷ୍ଠ ଓକିଲ କହିଛନ୍ତି। ଗତକାଲି ସୁପ୍ରିମକୋର୍ଟ ଦୋଷୀ ମୁକେଶ ଓ ବିନୟ ଶର୍ମାର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ। ଅର୍ଥାତ ସମସ୍ତଙ୍କୁ ଫାଶୀରେ ଝୁଲାଇବା ଏକ ପ୍ରକାରର ନିଶ୍ଚିତ ହୋଇଥିଲା।

Spread the love