କେମ୍ବ୍ରିଜରେ ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣ ସମସ୍ୟାର ସମାଧାନ କରିଦେଲେ ଭାରତୀୟ ଛାତ୍ର

ବିଦେଶରେ କମାଲ କରି ଦେଖାଇଲେ ଭାରତୀୟ ଛାତ୍ର ଋଷ ଅତୁଲ ରାଜପୋପଟ୍ । ୨୫୦୦ ବର୍ଷ ପୁରୁଣା ଏକ ସଂସ୍ମୃତ ବ୍ୟାକରଣ ସମସ୍ୟାର ସମାଧାନ କରିଦେଇଛନ୍ତି। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଯେଉଁ ସମସ୍ୟାର ସମାଧାନ କେହି କରିପାରିନାହାନ୍ତି କେମ୍ବ୍ରିଜରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ର ଋଷି ଅତୁଲ ରାଜପୋପଟ ସେହି ସଂସ୍କୃତ ବ୍ୟାକରଣ ସମସ୍ୟାର ସମାଧାନ କରିଛନ୍ତି। ଋଷି ଅତୁଲ ହେଉଛନ୍ତି କେମ୍ବ୍ରିଜ୍‌ ସେଣ୍ଟ ଜନ୍‌ କଲେଜର ଫାକଲ୍ଟି ଅଫ୍‌ ଏସିଆନ ଆଣ୍ଡ ମିଡିଲ୍‌ ଇଷ୍ଟର୍ଣ୍ଣ ଷ୍ଟଡିଜ୍‌ରେ ଜଣେ ପିଏଚ୍‌ଡି ଛାତ୍ର। ୨ରୁ ଅଢ଼େଇ ହଜାର ବ‌ର୍ଷ ତଳେ ପ୍ରାଚୀନ ସଂସ୍କୃତ ଭାଷାର ମହାନ ଆଚାର୍ୟ୍ୟ ପାଣିନୀଙ୍କ ଦ୍ବାରା ଲିଖିତ ଏକ ସଂସ୍କୃତ ବ୍ୟାକରଣ ଦ୍ବନ୍ଦ୍ବର ଋଷି ସମାଧାନ କରିଛନ୍ତି। ପାଣିନୀ ଯେଉଁ ‘ମେଟାରୁଲ୍‌’ ଶିଖାଇଥିଲେ, ତାହା ବ୍ୟାକରଣ ଦୃଷ୍ଟିରୁ ଭୁଲ୍‌ ପରିଣାମ ଦେଉଥିବା କେତେକ ବ୍ୟାଖ୍ୟାକାର କହିଥିଲେ । ପାରମ୍ପରିକ ଭାବରେ ପଣ୍ଡିତମାନଙ୍କ ଦ୍ବାରା ବ୍ୟାଖ୍ୟାରେ କୁହାଯାଇଥିଲା- ‘ସମାନ ଶକ୍ତିର ଦୁଇଟି ନିୟମ ମଧ୍ୟରେ ବିବାଦ ହେଲେ, ବ୍ୟାକରଣର କ୍ରମିକ ସଂଖ୍ୟାରେ ଆସୁଥିବା ନିୟମ ଜିତେ’। ଏହା ପ୍ରାୟତଃ ବ୍ୟାକରଣଗତ ଭାବରେ ଭୁଲ୍‌ ଫଳାଫଳ ଦେଇଥାଏ। ଋଷି ଅତୁଲ ରାଜପୋପଟ ମେଟାରୁଲ୍‌ର ଏହି ପାରମ୍ପରିକ ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମେଟାରୁଲ୍‌ରେ ନୂଆ ଶବ୍ଦ ତିଆରି କରିବା ପାଇଁ ପରସ୍ପର ବିରୋଧୀ ନିୟମ ରହିଥିବା ବେଳେ ଏ ବାବଦ ଭ୍ରମକୁ ଋଷି ଦୂର କରି ସଠିକ୍‌ ଶବ୍ଦ ନିର୍ମାଣର ପ୍ରକ୍ରିୟା ବାହାର କରିଛନ୍ତି।

Spread the love