ରାଜ୍ୟରେ ବର୍ଷକରେ ୩ ଗୁଣା ବଢ଼ିଛି ନକଲି ନୋଟ୍

ଭୁବନେଶ୍ୱର: ସମ୍ବଲପୁର ପୋଲିସ ହାତରେ ବଡଧରଣର ଜାଲ୍ ନୋଟ ରାକେଟ ଧରା ପଡ଼ିବା ପରେ ରାଜ୍ୟରେ ଏହାର କାରବାରକୁ ନେଇ ଆରମ୍ଭ ହୋଇଛି ଧରପଗଡ଼ । କେଉଁଠୁ ଏସବୁ ଆସୁଛି, କିଏ ଏହାର ମାଷ୍ଟରମାଇଣ୍ଡ ଜାଣିବା ପାଇଁ ଚେକିଂକୁ ବ୍ୟାପକ କରାଯାଇଛି । ବର୍ଷକରେ ୩ ଗୁଣା ବଢ଼ିଛି ନକଲି ନୋଟ୍ କାରବାର । ନକଲି ୨ ଶହ ଟଙ୍କିଆ ନୋଟରେ ୧୫୧ ପ୍ରତିଶତ ବୃଦ୍ଧି । ଟାର୍ଗେଟରେ ଅଶିକ୍ଷିତ ଓ ଗାଁରେ ରହୁଥିବା ଲୋକେ । ଜଳପଥରେ ବୋଟ୍ ଯୋଗେ ହେଉଛି କାରବାର । ସମ୍ବଲପୁରରୁ ୧୪ ଲକ୍ଷ ଟଙ୍କାର ଜାଲି ନୋଟ ଜବତ ହେବା ଘଟଣାରେ ୬ ଜଣଙ୍କୁ କାବୁ କରିଛି ପୋଲିସ୍ ।

ବାଲେଶ୍ୱରରୁ ଭାୟା ସୁନ୍ଦରବନ ଦେଇ ଜଳେଶ୍ୱର ଓ ରାଜକନିକା ରାସ୍ତାରେ ଓଡିଶାକୁ ଆସୁଛି ନକଲି ନୋଟ୍ । ୨୦୧୯ ରେ ୧ ଲକ୍ଷ ୬୬ ହଜାର ନକଲି ନୋଟ ଜବତ ହୋଇଥିବା ବେଳେ ୨୦୧୮ରେ ଜବତ ହୋଇଛି ୧ ଲକ୍ଷ ୯୨ ହଜାର ନୋଟ୍ । ୨୦୨୦-୨୧ ମଧ୍ୟରେ ଜବତ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆତଙ୍କୀ ଗୋଷ୍ଠୀ ଏଭଳି କାମକୁ ଅପରେଟ କରୁଥିବା ଅଭିଯୋଗ ହୋଇଥିବାବେଳେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଓଡିଶା ତୁଳନାରେ ଜାତୀୟ ସ୍ତରରେ ନକଲି ନୋଟ କାରବାର ଅଧିକ ।

ସେପଟେ ନୂଆ ୨ଶହ ଟଙ୍କିଆ ଜାଲି ନୋଟ କାରବାର ୧୫୧ ପ୍ରତିଶତ ବଢିଥିଲା ବେଳେ ୫୦ ଟଙ୍କିଆ ଓ ୫ ଶହ ଟଙ୍କିଆ ନୋଟ ବେଶି ନକଲି ହେଉଛି । ୨୦୧୬ ନୋଟବନ୍ଦୀ ପରେ ଏହି କାରବାର ହୁ ହୁ ହୋଇ ବଢ଼ି ଚାଲିଛି । ଏନସିଆରବି ରେକର୍ଡ ଆରବିଆଇର ଚିନ୍ତା ବଢ଼ାଇଛି । ଏହାକୁ ରୋକିବାକୁ ସ୍ଥଳ ଓ ଜଳପଥ ମାନଙ୍କରେ ଚେକିଂକୁ ବ୍ୟାପକ କରିବାକୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ବ୍ୟାଙ୍କ ସମ୍ମୁଖରେ ସଚେତନତା ବାର୍ତ୍ତା ଦିଆଗଲେ ଲୋକେ ଅନ୍ତତଃ ଠକାମୀରୁ ଭର୍ତ୍ତି ପାରନ୍ତେ ବୋଲି କହିଛନ୍ତି ବିଶେଷଜ୍ଞ ।

Spread the love