ଦଶମ ଫେଲ୍ ହୋଇ ନିଜକୁ କହୁଥିଲେ ଡିଏସପି, ୫ ଯୁବତୀଙ୍କୁ କରି ସାରିଛନ୍ତି ବିବାହ, ଏବେ ବନ୍ଧାହେଲେ

ଅନେକ ମାଟ୍ରିମୋନି ସାଇଟ୍‌ରେ ନିଜକୁ ଦେଉଥିଲେ ବରିଷ୍ଠ ପୋଲିସ ଅଫିସରର ପରିଚୟ । ନିଜକୁ ଡିଏସ୍‌ପି ବୋଲି କହି ଏକାଧିକ ଯୁବତୀଙ୍କୁ ବାହା ହୋଇଥିବା ଜଣେ ପେସାଦାର ଠକକୁ ଧରିଛି ଲାଲ୍‌ବାଗ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ର ବଳରାମ ପ୍ରହରାଜ । ସେ ନିଜକୁ ଜଣେ ଡିଏସ୍‌ପି ବୋଲି ପରିଚୟ ଦେଇଥିଲେ । ପୋଲିସ ଅଭିଯୁକ୍ତ ନକଲି ଡିଏସ୍‌ପିକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ବଳରାମ ପ୍ରହରାଜ ବିବାହିତ । ଘରେ ତାର ପିଲା ଓ ପତ୍ନୀ ଅଛନ୍ତି । ତେବେ ସେ ମାଟ୍ରିମୋନି ସାଇଟ୍‌ରେ ନିଜର ନକଲି ଆଇଡି କରି ନିଜକୁ ସିଆର୍‌ପିଏଫ୍‌ର ଡିଏସ୍‌ପି ବୋଲି ପରିଚୟ ଦେଉଥିଲା । ଏହି ଆଇଡିକୁ ଦେଖି ବହୁ ଯୁବତୀ ଆକୃଷ୍ଟ ମଧ୍ୟ ହେଉଥିଲେ । ଏହି କ୍ରମରେ ଅନୁଗୁଳର ଆଦିବାସୀ ଯୁବତୀ ତଥା ସରକାରୀ ସ୍କୁଲ୍‌ର ଶିକ୍ଷୟିତ୍ରୀ ଥିବା ଅନିମା କୁମାରୀ ପ୍ରଧାନ ଗତବର୍ଷ ଏହି ନକଲି ଆଇଡିକୁ ଦେଖି ବଳରାମଙ୍କୁ ବାହା ହେବା ପାଇଁ ମନସ୍ଥ କରିଥିଲେ । ଉକ୍ତ ଆଇଡିରେ ବଳରାମ ନିଜର ନାଁ କୈଳାସ ଚନ୍ଦ୍ର ମିଶ୍ର ବୋଲି ଦର୍ଶାଇଥିଲା । କିଛି ଦିନର ପରିଚୟ ପରେ ଅନିମା ଫୋନ୍‌ କରି ବଳରାମଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଲେ । ଏପରିକି ଦୁହେଁ ଏକ ମନ୍ଦିରରେ ବାହା ମଧ୍ୟ ହୋଇଗଲେ । ବାହାଘର ପରେ ବଳରାମ କିଛି ଦିନ ଅନିମାଙ୍କ ସହିତ ରହିଲେ । ମାତ୍ର ପରେ ସେଠାରୁ ଚତୁରତାର ସହିତ ସବୁ ସୁନା ଅଳଙ୍କାର ଓ ଏଟିଏମ୍‌ କାର୍ଡ ନେଇ ଚମ୍ପଟ ମାରିଲେ । ସିଆର୍‌ପିଏଫ୍‌ରେ ଡ୍ୟୁଟି କରିବା ଆଳରେ ସେ ଅନିମାଙ୍କୁ ଛାଡ଼ି ବାହାରେ ରହିଲେ । ଅନିମା ତାଙ୍କୁ ଯେତେ ଡାକିଲେ ବି ସେ ବିଭିନ୍ନ ଆଳ ଦେଖାଇଲେ । ଘରକୁ ବିଲ୍‌କୁଲ୍‌ ଫେରିଲେ ନାହିଁ । ତେବେ ଏକ ଗାଡ଼ିର କାଗଜପତ୍ର ବଦଳାଇବା ପାଇଁ ଅନିମା ଆଜି କଟକ ଆସିଥିବା ବେଳେ ବଳରାମଙ୍କୁ ଦେଖିବାକୁ ପାଇଲେ । ଏହାପରେ ସେ ବଳରାମଙ୍କୁ କାବୁ କରି ନେଇ ପୁଲିସ ଜିମା ଦେଲେ ।

ପୁଲିସ ଅଧିକ ତଦନ୍ତ କରିବାରୁ ସବୁ ଗୁମର ଖୋଲିଥିଲା । ପୁଲିସ ତାର ଅସଲି ପରିଚୟ ଜାଣିବା ପାଇଁ ବଳରାମଙ୍କୁ ଟ୍ରେନିଂ ବେଳର କିଛି କସରତ କରିବାକୁ କହିଲା । ହେଲେ ତାହା ବଳରାମ କରିପାରିଲା ନାହିଁ । ଶେଷର ତାର ଗୁମର ଫିଟିଯିବାରୁ ସେ ସବୁ ମିଛ ମାନିଯାଇଥିଲା । ଖାଲି ସେତିକି ନୁହେଁ, ବଳରାମର ମୋବାଇଲ୍‌ ଯାଂଚ ହେବାରୁ ତାର ପୁରଣା କାରନାମାର ପର୍ଦ୍ଦାଫାସ୍‌ ହୋଇଥିଲା । ସେ କିପରି ନକଲି ଆଇଡି ମାଟ୍ରିମୋନି ସାଇଟ୍‌ରେ କରିଥିଲା ତାହା ଜଣାପଡ଼ିଲା । ଏଥି ସହିତ ଫୋନ୍‌ରେ ଏକାଧିକ ଯୁବତୀଙ୍କ ସହିତ ବିବାହ ବେଳର ଫଟୋ ମଧ୍ୟ ମିଳିଛି । ଏହି ଫଟୋରେ ନାଗାଲାଣ୍ଡର ଜଣେ ଯୁବତୀଙ୍କ ସହିତ ବାହାଘର ଫଟୋ ମଧ୍ୟ ଅଛି । ପୁଲିସ ଏହି ବିଷୟ ଜାଣିବା ପରେ ଆଜି ବଳରାମ ଓରଫ କୈଳାସକୁ କୋର୍ଟ ଚାଲାଣ କରିଛି ।

Spread the love