ନକଲି ଟଙ୍କା ଦେଇ ଛେଳି ନେଇଗଲା ମାଉଁସ ଚୋର

ବେଗୁନିଆ: ଛାଡ଼ଖାଇରେ ଆମିଷର ବଢିଛି ଚାହିଦା । ଏହାକୁ ନଜରରେ ରଖି ଗ୍ରାମାଞ୍ଚଳ ଉପରେ ଦୃଷ୍ଟି ରଖିଛନ୍ତି ଛେଳି ଚୋରାଳି। ନକଲି ଟଙ୍କା ଦେଇ ଅସାଧୁ ବେପାରି ମଫସଲିଆ ଲୋକଙ୍କୁ ଲୁଟି ନେଉଥିବାର ଦେଖିବାକୁ ମିଳିଛି। ନଅ ହଜାର ଟଙ୍କାର ଜାଲନୋଟ ହାତରେ ଧରାଇ ଛେଳିନେଇ ଛୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ । ସୂଚନା ଅନୁଯାୟୀ, ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିଙ୍କୁ ନେଇ ହଜ ସିକୋ ରାସ୍ତାର ଟାଙ୍କୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଚରାଉଥିଲେ ।

ଏତିକିବେଳେ ହଜରୁ ସିକୋ ଅଭିମୂଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ବ୍ୟକ୍ତି ଗୋଠରେ ଥିବା ବଡଛେଳି(ବୋଦା)ନେବାପାଇଁ ମୂଲଚାଲ କରିଥିଲା । ଶେଷରେ ଏହା ୯ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ଅଚିହ୍ନା ବ୍ୟକ୍ତି ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତ୍ତି କରି ବଜାରରେ ପିଲାଙ୍କ ଖେଳଣା ଭାବେ ବିକ୍ରି କରାଯାଉଥିବା ଜାଲ ୯ ହଜାର ଟଙ୍କା ବୃଦ୍ଧଙ୍କୁ ଦେଇ ସେଠାରୁ ଫେରାର ହୋଇଯାଇଥିଲା । ବୃଦ୍ଧ ଜଣକ ଏହା ଅସଲି ନା ନକଲି ପ୍ରଥମେ ଜାଣିପାରି ନଥିଲେ । ପରେ ଘରକୁ ଛେଳିମାନଙ୍କୁ ଧରି ଫେରିବାପରେ ଘରଲୋକ ଏହା ନକଲି ନୋଟ ବୋଲି ଜାଣି ପାରିଥିଲେ । ତେବେ ବୟସାଧିକ୍ୟ ହେତୁ ବୃଦ୍ଧଜଣକ ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି । ସେପଟେ ଛାଡ଼ଖାଇ ଥିବାରୁ ଏପରି ଠକି ନେଇଥିବା କୁହାଯାଇଛି ।

Spread the love