ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ହାଉଜାଉ! ନାଁ’କୁ ତନାଘନା, କାର୍ଯ୍ୟାନୁଷ୍ଠାନ ଶୂନ
ବାଲେଶ୍ବର: ଶିକ୍ଷାରେ ଆଗୁଆ ଜିଲ୍ଲା କୁହାଯାଇଥିବା ବାଲେଶ୍ବରରେ ବି ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ଜାଲ ପ୍ରମାଣପତ୍ର ହାତେଇ ଶିକ୍ଷକତା କରୁଛନ୍ତି। ସରକାରଙ୍କ ପକ୍ଷରୁ ନକଲି ଶିକ୍ଷକ ଚିହ୍ନଟ ପାଇଁ ବାରମ୍ବାର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଆସୁଥିଲେ ହେଁ କେବଳ ନାଁକୁ ମାତ୍ର ଯାଞ୍ଚ୍ କରାଯାଉଛି। ଏପରିକି ଗତ ୭/୮ ବର୍ଷ ପୂର୍ବରୁ ହୋଇଥିବା ଯାଞ୍ଚ୍ ରିପୋର୍ଟ ପୁଣିଥରେ ନୂଆ ରିପୋର୍ଟରେ ଯୋଡ଼ି ସରକାରଙ୍କୁ ପ୍ରଦାନ କରାଯାଉଛି।
ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୦, ୩୯୫। ୨୦୧୧-୧୨ ମସିହାରେ ବାଲେଶ୍ବର ଜିଲ୍ଲାରେ ବିପୁଳ ସଂଖ୍ୟାରେ ନକଲି ଶିକ୍ଷକ ଭର୍ତ୍ତି ହୋଇଥିବା ଅଭିଯୋଗ ଆସିଥିଲା। ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ବିଧାନସଭାର ଏକ ଅଧିବେଶନରେ ବାଲେଶ୍ବର ଜିଲ୍ଲାରେ ନକଲି ଶିକ୍ଷକଙ୍କ ପ୍ରସଙ୍ଗ ଉଠିବା ପରେ ତତ୍କାଳୀନ ଜିଲ୍ଲାପାଳ ସନାତନ ମଲ୍ଲିକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ତତ୍ସଂକ୍ରାନ୍ତୀୟ ଯାଞ୍ଚ୍ କରାଇଥିଲେ। ଏଥିରେ ୧୦ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ସମ୍ପୃକ୍ତ ଶିକ୍ଷକମାନେ ହେଲେ ବାଲେଶ୍ବର ସଦର ବ୍ଲକ ହେମଲତା ନୋଡାଲ ସ୍କୁଲର ଜନ୍ମେଜୟ ବେହେରା, ବାଲିଆପାଳ ବ୍ଲକ ଶଙ୍ଖୁଆ ନୋଡାଲ ୟୁପି ସ୍କୁଲର ଝାଡ଼େଶ୍ବର ଦାସ ଓ ରାୟପୁର ୟୁଜିୟୁପି ସ୍କୁଲର ଗୀତା ସେଠୀ, ଜଳେଶ୍ବର ବ୍ଲକ ଖଲିନା ନୋଡାଲ ୟୁପି ସ୍କୁଲର ଝାଡ଼େଶ୍ବର ସେଠୀ, ବାହାନଗା ବ୍ଲକ ବଳରାମପୁର ସିଏସ ୟୁପି ସ୍କୁଲର ସୀତାନାଥ ମହାପାତ୍ର, ରେମୁଣା ବ୍ଲକ ବୋଇତବାଙ୍କ ୟୁଜିୟୁପି ସ୍କୁଲର ମୁରଲୀଧର ଦାସ, ଭୋଗରାଇ ବ୍ଲକ ଖଳାବାଡ଼ିଆ ୟୁଜିୟୁପି ସ୍କୁଲର ସ୍ବୟଂପ୍ରଭା ବେହେରା, ନୀଳଗିରି ବ୍ଲକ ବାଲିଗୋହିରୀ ପ୍ରାଇମେରି ସ୍କୁଲର ସୀତାଞ୍ଜଳି ସେଠୀ, କାଠପାଳ ୟୁଜିୟୁପି ସ୍କୁଲର କରୁଣାକର ସ୍ବାଇଁ ଓ ମୁଣ୍ଡଘୁସରସାହି ୟୁଜିୟୁପି ସ୍କୁଲର ପରେଶ କୁମାର ପରିଡ଼ାଙ୍କୁ ଜିଲ୍ଲାପାଳ ୨୦୧୫ ଏପ୍ରିଲ ୧୭ ତାରିଖରେ କାର୍ଯ୍ୟରୁ ଅନ୍ତର କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଏଠାରୁ ବଦଳି ହୋଇଥିଲେ।
ସେହି ଦିନଠାରୁ କର୍ଣ୍ଣାଟକ ରାଜ୍ୟ ମହିଳା ବିଶ୍ବବିଦ୍ୟାଳୟ, ଉତ୍ତରପ୍ରଦେଶ ଝାନ୍ସୀର ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟ, ଆଗ୍ରାସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଛତିଶଗଡ଼ ରାୟପୁରର ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟ, ଜାମ୍ମୁର କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ, ସିଭିରମଣ ବିଶ୍ବବିଦ୍ୟାଳୟ, ବିଳାସପୁର ଭଳି ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ବିଏଡ୍ ପ୍ରମାଣପତ୍ର ହାତେଇ ଚାକିରି କରିଥିବା ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ରେଜିଷ୍ଟ୍ରାରଙ୍କୁ ବାଲେଶ୍ବର ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ(୨୦୧୪ ମସିହାରେ ଚିଠି ନମ୍ବର ୪୬୮୬/୪୭୧୫/୪୭୧୮ରେ) ଯାଞ୍ଚ୍ ପାଇଁ ଚିଠି ଲେଖା ଯାଇଥିଲା। ଏହାପରେ ସେପଟୁ ମଧ୍ୟ ସମ୍ପୃକ୍ତ ବିଶ୍ବବିଦ୍ୟାଳୟର ସହକାରୀ ରେଜିଷ୍ଟ୍ରାର, ରେଜିଷ୍ଟ୍ରାର(ଇଭାଲ୍ୟୁଏସନ୍) ଓ ସହକାରୀ ରେଜିଷ୍ଟ୍ରାର(କନଫିଡେନ୍ସିଆଲ୍)ଙ୍କ ପକ୍ଷରୁ ପ୍ରମାଣପତ୍ର ଯାଞ୍ଚ୍ ବାବଦ ଖର୍ଚ୍ଚ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଗାଯାଇଥିଲା। ଯାହା ଏ ପର୍ଯ୍ୟନ୍ତ ଶୀତଳଭଣ୍ଡାରରେ ରହିଥିବା ବେଳେ ଜିଲ୍ଲାରେ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟା ଏକ ପ୍ରକାର ଦିଗହରା ହୋଇଯାଇଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନକଲି ଶିକ୍ଷକ ଚିହ୍ନଟ ନେଇ ବିଭିନ୍ନ ସମୟରେ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି ଆସୁଛି। ହେଲେ ଏଠାରେ ତାକୁ ନେଇ ଯେପରି ଢଙ୍ଗରେ ଚିହ୍ନଟ ବା ଯାଞ୍ଚ୍ କରାଯିବା ଆବଶ୍ୟକ ତାହା ନକରି କାଁଭାଁ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିବ ବା ସେନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ଯଦି କିଛି ଅଭିଯୋଗ ଆସିଥିବ କେବଳ ତା ଉପରେ ଉପରଠାଉରିଆ ଭାବେ ଯାଞ୍ଚ୍ କରି ଜିଲ୍ଲାରେ ନକଲି ଶିକ୍ଷକ ନଥିବା ରିପୋର୍ଟ ପ୍ରଦାନ କରି ଦିଆଯାଉଛି। ଏହି କ୍ରମରେ ଗତ ୨୦୨୧ ଅକ୍ଟୋବର ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପଠା ଯାଇଥିବା ନକଲି ଶିକ୍ଷକ ଚିହ୍ନଟର ଏକ ରିପୋର୍ଟରେ ୧୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଥିବା ବେଳେ ସେଥିରେ ୨୦୧୫ ମସିହାରେ ଯେଉଁ ୧୦ ଜଣ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ପୁଣି ସେମାନଙ୍କ ନାଁ ଉଲ୍ଲେଖ କରାଯାଇଥିବା ଦେଖାଯାଇଛି। ଏଥିସହ ବାଲେଶ୍ବରର ଖଇରା, ଔପଦା, ଭୋଗରାଇ, ସୋର, ସଦର ଓ ରେମୁଣା ବ୍ଲକରେ ହାତଗଣତି କିଛି ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ୍ କରାଯାଇ ସେଠାରେ ଆଦୌ ନକଲି ଶିକ୍ଷକ ନଥିବା ରିପୋର୍ଟ ଦିଆଯାଇଛି। ସେହିପରି କେବଳ ବିଏଡ୍ ପ୍ରମାଣପତ୍ରକୁ ଯାଞ୍ଚ୍ କରାଯାଉଥିବା ବେଳେ ଦିବ୍ୟାଙ୍ଗ ଓ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଚିହ୍ନଟ ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଶିକ୍ଷା ବିଭାଗରେ ଏହିପରି ଶହଶହ ନକଲି ଶିକ୍ଷକ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ଠିକ୍ଭାବେ ଚିହ୍ନଟ କରାଯାଉ ନଥିବାରୁ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି।
ପ୍ରକାଶଯୋଗ୍ୟ, ୨୦୨୨ ମାର୍ଚ୍ଚ ୨୮ ତାରିଖରେ ରାଜ୍ୟ ସରକାର ଚିଠି ନମ୍ବର-୩୦୬ରେ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାର ଡିଇଓମାନଙ୍କୁ ସେମାନଙ୍କ ଜିଲ୍ଲାରେ କେତେ ସଂଖ୍ୟାରେ ନକଲି ଶିକ୍ଷକ ଅଛନ୍ତି, ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ସମସ୍ତ ଶିକ୍ଷକଙ୍କ ତାଲିକା ସହ ସେମାନଙ୍କ ବିଷୟଭିତ୍ତିକ ପରଫର୍ମାନ୍ସର ରିପୋର୍ଟ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ମାସେ ବିତିଯାଇଥିଲେ ହେଁ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପଚାରିବାରୁ ଉକ୍ତ ନିର୍ଦ୍ଦେଶନାମା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜାଣିବାକୁ ମିଳିଥିଲା। ଡିଇଓ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟା ଯେପରି ହେବା ଆବଶ୍ୟକ ତାହା ଆଦୌ କରା ଯାଉନାହିଁ। ତେଣୁ ବିଭିନ୍ନ ସମୟରେ ଏ ପ୍ରସଙ୍ଗ ଉଠୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ। କିଏ ଅସଲି ଓ କିଏ ନକଲି ଶିକ୍ଷକ ତାର ଯାଞ୍ଚ ଦାୟିତ୍ବ ଶିକ୍ଷା ବିଭାଗ ବଦଳରେ ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚ୍ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କଲେ ପ୍ରକୃତ ସତ ପଦାକୁ ଆସିପାରନ୍ତା ବୋଲି ସେ କହିଛନ୍ତି।