ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବଞ୍ଚିଯାଇଥିବା ତିନିବର୍ଷର ଶିଶୁ ଏକାସାଙ୍ଗରେ ବାପା,ମା’ ‌ଜେ‌ଜେବାପା-ମା’ଙ୍କୁ ହରାଇଲା

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ ଗତମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ତିନିବର୍ଷ ଶିଶୁ ଓ ଚାଳକଙ୍କ ଜୀବନ ଏଥିରେ ବଞ୍ଚିଯାଇଛି।କାର ଦୁର୍ଘଟଣାର ଶିକାର ହୋଇଥିବା ପରିବାର ମୂଳତଃ ଭିନାୟର ବାସିନ୍ଦା ଥିବା ବେଳେ କିଛିଦିନ ହେବ ସେମାନେ ଅଜମେରରେ ବସବାସ କରୁଥିଲେ। ଦୁର୍ଘଟଣା ସମୟ‌ରେ ପୂରା ପରିବାର ଗୋଟିଏ କାରରେ ବସି ଅଜମେରରୁ ଉଦୟପୁର ଯାଉଥିଲେ। ଅଜମେର-ଭିଲୱାଡା ରାସ୍ତା ନିକଟରେ ହଠାତ କାର ଟାୟାର ଫାଟି ଯାଇଥିଲା। ଟାୟାର ଫାଟିବା ପରେ କାର ଚାଳକ ନିୟନ୍ତ୍ରଣ ହରାଇ ଦେଇଥିଲେ। ଏହାପରେ କାର ଯାଇ ଏକ ଟ୍ରକ ସହିତ ଧକ୍କା ଖାଇଥିଲା।

ଦୁର୍ଘଟଣାଗ୍ରସ୍ତ କାର ଭିତରେ ଥିବା ତିନିବର୍ଷର ଶିଶୁ ଓ ଚାଳକଙ୍କୁ ଛାଡ଼ି ବାକି ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଓ କାର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ରାଧେଶ୍ୟାମ ଖଣ୍ଡେଲୱାଲ, ତାଙ୍କ ପୁଅ ମନିଷ ଖଣ୍ଡେଲୱାଲ, ବୋହୂ ୟାଶିକା ଓ ତାଙ୍କ ସ୍ତ୍ରୀ।

ଏହି ଦୁର୍ଘଟଣା ଦେଖିଥିବା ସ୍ଥାନୀୟଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଭଗବାନଙ୍କୁ ଡାକି କହିଛନ୍ତି, ‘ଏକା ଥରକେ ତିନିବର୍ଷର ଶିଶୁ ଠାରୁ ତାର ବାପା, ମା’ ଓ ଜେଜେବାପା ଓ ଜେଜେମା’ଙ୍କୁ ଛଡ଼ାଇ ‌ନେଲ ପ୍ରଭୁ। ସେ ଏବେ କାହା ସାହାରାରେ ବଞ୍ଚିବ। ହସ୍ପିଟାଲ ବିଛଣାରେ ପଡ଼ି ଚିକିତ୍ସିତ ହେଉଥିବା ତିନିବର୍ଷର ଶିଶୁ ସୁସ୍ଥ ହେବା ପରେ ଯେତେବେଳେ ସେ ତାର ମା’, ବାପା ଓ ଜେଜେବାପା, ଜେଜେମା’ଙ୍କୁ ଖୋଜିବ ତାକୁ କି ଉତ୍ତର ଦିଆଯିବ? ବାପା ଓ ମା’ ଆଉ ଏ ଦୁନିଆରେ ତା’ ପାଇଁ ନାହାନ୍ତି ବୋଲି ଯେ‌ତେବେଳେ ସେ ଜାଣିବ କ’ଣ ବା ବିତିବ ତା’ ଉପରେ। ହେ ଭଗବାନ… ଏମିତି ଦୁଃଖ ଆଉ କାହାକୁ ନଦିଅ।’

ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୁଧବାର ତାମିଲନାଡୁର ସଲିମରେ ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ପ୍ରାୟ ୬ ଜଣଙ୍କ ଜୀବନ ଚାଲିଯାଇଛି।

Spread the love