ବିଦାୟୀ ରାଷ୍ଟ୍ରପତି କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ନୂଆଦିଲ୍ଲୀ : ଆଜି କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ତାଙ୍କୁ  ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସମ୍‌ ବିରଳା ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ବାଚସ୍ପତି ବିରଳା କୋବିନ୍ଦଙ୍କୁ ସାଂସଦମାନଙ୍କ ଦସ୍ତଖତ ସମ୍ବଳିତ ମାନପତ୍ର ଓ ସ୍ମାରକୀ ଉପହାର ଦେଇଛନ୍ତି। ଏହି ଅବସରରେ କୋବିନ୍ଦ ଭାବବିହ୍ବଳ ହୋଇ ସ୍ମୃତି ରୋମନ୍ଥନ କରିବା ସହ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ସେ ଭାରତର ରାଷ୍ଟ୍ରପତି ଭାବେ ଏହି ସ୍ଥାନ (କେନ୍ଦ୍ରୀୟ ହଲ୍‌)ରେ ଶପଥ ଗ୍ରହଣ କରିଥିଲେ। ଏହିଠାରୁ ବିଦାୟ ନେଲାବେଳେ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନର ସୁଯୋଗ ପାଇଛନ୍ତି। ସେମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ   ଗତକାଲି ସନ୍ଧ୍ୟାରେ ତାଙ୍କର ବିଦାୟୀ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ବିତର୍କ ଓ ବିବାଦ ସମୟରେ ଗାନ୍ଧୀ ଆଦର୍ଶର ଅନୁସରଣ ପାଇଁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ସଂସଦ ହେଉଛି ସାଂସଦମାନଙ୍କ ପାଇଁ ମନ୍ଦିର। ଏଥିସହିତ ସେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପରାଷ୍ଟ୍ରପତି, ନାଇଡୁ, ବାଚସ୍ପତି ବିରଳା ପ୍ରମୁଖଙ୍କୁ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Spread the love