ବିଳମ୍ବିତ ଖରିଫ୍‌ ଚାଷ, ବଢ଼ୁନି ଚାଷୀ ପଞ୍ଜୀକରଣ

ଭଞ୍ଜନଗର: ମୌସୁମୀ ଆସିଥ‌ିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକ ପରିମାଣର ବର୍ଷା ଅଭାବ ‌‌‌ଯୋଗୁଁ ଖରିଫ୍‌ ଚାଷ ତ୍ବରାନ୍ବିତ ହୋଇପାରୁନି। ତଳିକୁ ସୁରକ୍ଷା ଦେବା ଲାଗି ଚାଷୀ ପ୍ରୟାସ ଚଳାଇଥିବା ବ‌େଳେ କିଛି ସ୍ଥାନରେ ତଳିରେ ପତ୍ରପୋଡ଼ା ରୋଗ ଆଉ ଏକ ଚିନ୍ତାର କାରଣ ପାଲଟିଛି। ଆଉ ଏଭଳି ଏକ ଘଡ଼ିସନ୍ଧି ସମୟରେ ଖରିଫ୍‌ ଧାନକିଣା ପାଇଁ ଚଳିତମାସ ୧୫ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ଯାହାକି ଆସନ୍ତାମାସ ୧୬ ତାରିଖ ଯାଏ ଚାଲୁ ରହିବ। କିନ୍ତୁ ଚାଷୀ ପଞ୍ଜୀକରଣ ଆଶାନୁରୂପ ବଢ଼ିପାରୁନି। ଭଞ୍ଜନଗର ବ୍ଲକ୍ କଥାକୁ ବିଚାର‌ରେ ନେଲେ ଆଜି ପର୍ଯ୍ୟନ୍ତ ୨୪୭ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି।

ଗତବର୍ଷ ୩୯୨୬ ଜଣ ଚାଷୀ ଧାନ ବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୩୮୫୩ ଜଣ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୨୬୦ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୮୧ହଜାର ୫୨୬ କ୍ବିଣ୍ଟାଲ୍ ଧାନକିଣା ଯାଇଥିଲା। ଚଳିତବର୍ଷ ପଞ୍ଜୀକରଣ ପ୍ରକ୍ରିୟାକୁ ଏକ ସପ୍ତାହରୁ ଅଧିକ ଦିନ ବିତିଥିଲେ ମଧ୍ୟ ଆଖିଦୃଶିଆ ଅଗ୍ରଗତି ହୋଇପାରିନି।

ସୂଚନା ଅନୁଯାୟୀ, ତିଳିସଂ ସମବାୟ ସମିତିରେ ୧୧ ଜଣ, କୁଲାଡ଼ରେ ୫ଜଣ, ବ୍ରାହ୍ମଣପଦରରେ ୧୫୫ ଜଣ, ବଡ଼କୋଦଣ୍ଡାରେ ୨ ଜଣ ଚାଷୀ ଏବଂ ୩ଟି ସ୍ବୟଂ ସହାୟକ ଗୋଷ୍ଠୀ​ ନିକଟରେ ୭୪ ଜଣ ଏଭଳି ଭାବେ ମୋଟ ୨୪୭ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନେକ ସ୍ଥାନରେ ସୋସାଇଟି ଗୁଡ଼ିକର ଅବସ୍ଥା ଶୋଚନୀୟ ରହିଛି। ପଞ୍ଜୀକରଣ ପରେ କୃଷି, ସମବାୟ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ ହେବା ସହ ନକଲି ଚାଷୀଙ୍କୁ ଧରିବା ନେଇ ସାଟେଲାଇଟ୍‌ ସର୍ଭେର ସାହାରା ନିଆଯିବ। ସର୍ଭେ ଜରିଆରେ ପୂରା ଅଞ୍ଚଳର ଜମିର ସ୍ଥିତି ଏବଂ ଧାନ ଚାଷ ହୋଇଛି କି ନାହିଁ ତାହା ଜଣାପଡ଼ିବ। ଯାହାଦ୍ବାରା ନକଲି ଚାଷୀଙ୍କୁ ଧରିବା ପାଇଁ ସହାୟକ ହେବ। ଗତବର୍ଷ ଅନେକ ଚାଷୀ ପଦର ଓ ପଡ଼ିଆଜମିକୁ ଧାନଚାଷ ହେଉଥିବା ଦର୍ଶାଇ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଯେଭଳି ତାହା ପୁନରାବୃତ୍ତି ନହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଚଳିତବର୍ଷ ଚାଷୀମାନେ ମଣ୍ଡିରେ ସୁବିଧାରେ କିଭଳି ଧାନ ବିକ୍ରି କରିପାରିବେ ସେଥିପାଇଁ ପ୍ରଶାସନ ବର୍ତ୍ତମାନ ଠାରୁ ହିଁ ଧ୍ୟାନ ଦେବାକୁ ଦାବି ​ହୋଇଛି। ଭଞ୍ଜନଗର ବ୍ଲକ୍‌ରେ ୧୫ଟି ପଞ୍ଜୀକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ୧୨ଟି ପ୍ରାଥମିକ ସେବା ସମବାୟ ସମିତି ଓ ୩ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ପଞ୍ଜୀକରଣ ଦାୟିତ୍ବ ଦିଆଯାଇଛି।

Spread the love