ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଏମିତି ପାଳିବେ ଅଗଷ୍ଟ ୧୫

କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ଅଗଷ୍ଟ ୧୫କୁ ‘କୃଷକ-ଶ୍ରମିକ ସ୍ଵାଧୀନତା ସଂଗ୍ରାମ ଦିବସ’ ପାଳନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏହି ଦିନ କୃଷକମାନେ ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବାର ଯୋଜନା କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ବୁଧବାର ଏହାର ଘୋଷଣା କରିଛି। ୪୦ କୃଷକ ସଂଗଠନଙ୍କ ଏହି ମୋର୍ଚ୍ଚା ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଅଗଷ୍ଟ ୧୫ରେ ବ୍ଲକ, ତହସିଲ ଓ ଜିଲ୍ଲା ମୁଖ୍ୟାଳୟରେ କୃଷକ ଓ ଶ୍ରମିକ ତ୍ରିରଙ୍ଗା ଯାତ୍ରା ବାହାର କରିବେ। ଏହି ସମୟରେ ଜାତୀୟ ପତାକା ଧରି ସମସ୍ତେ ସାଇକେଲ୍, ବାଇକ, ଶଗଡ ଓ ଟ୍ରାକ୍ଟରରେ ବାହାରିବେ। ଉଲ୍ଲେଖନୀୟ, କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଜନ୍ତର ମନ୍ତରରେ ନିଜର ସଂସଦ ଚଳାଉଛନ୍ତି।

ସୂଚନାଯୋଗ୍ୟ, କୃଷକ ସଂସଦର ବୁଧବାର ଥିଲା ୧୦ମ ଦିନ। ଏହି ଦିନ କୃଷକ ତିନି କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ କରିଛନ୍ତି। ଏହା ବ୍ୟତୀତ ବାୟୁ ପ୍ରଦୂଷଣ ଓ ବିଦ୍ୟୁତ୍ ସୁଧାର ବିଲ୍ ବିରୋଧେ ମଧ୍ୟ ସଂକଳ୍ପ ପାରିତ ହୋଇଛି। କୃଷକଙ୍କ ଏହି ସଂସଦରେ କୃଷି ଉତ୍ପାଦର ଏମଏସପି ଉପରେ ଗ୍ୟାରେଣ୍ଟି ଦେଉଥିବା ଏକ ବିଲ୍ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ବରିଷ୍ଠ କୃଷକ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରୁ ତିନି କୃଷି ଆଇନ ପ୍ରତିବାଦରେ ଦିଲ୍ଲୀର ଅଲଗା ଅଲଗା ବର୍ଡରରେ ପ୍ରଦର୍ଶନ କରୁଥିବା କୃଷକ ଏହି ସଂସଦ ଜନ୍ତର ମନ୍ତରରେ ଆୟୋଜନ କରିଛନ୍ତି। ଭିନ୍ନ ଭିନ୍ନ ଧାରଣାସ୍ଥଳରୁ ୨୦୦ କୃଷକ ଏହି ଅଧିବେଶନରେ ଯୋଗ ଦେବାକୁ ପ୍ରତିଦିନ ଆସୁଛନ୍ତି। ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ପରେ ମଧ୍ୟ ପ୍ରସଙ୍ଗ ଉପରେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। କିନ୍ତୁ ସରକାର ଏହି ଆଇନକୁ ବ୍ୟାପକ କୃଷି ସୁଧାର ସଂଦର୍ଭରେ ଉପସ୍ଥାପନ କରୁଛି।

Spread the love