ପିଟି ପିଟି ମାରିଦେଲେ, ପାଟିରେ ପୁରାଇଲେ ବିଷ !

ନୃଶଂସ ସାଜିଲେ ସ୍ଵାମୀ ଏବଂ ପୁଅ । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ପିଟି ପିଟି କଲେ ହତ୍ୟା । ହତ୍ୟାକାଣ୍ଡ ଭିଆଇବା ପରେ ସ୍ଵାମୀ ଏବଂ ପୁଅ ଫେରାର । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ ।

ସୂଚନାଯୋଗ୍ୟ ଯେ,  ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କଲେ ସ୍ଵାମୀ ଏବଂ ପୁଅ ।  ଉଦଳା ଥାନା ଦିଘିନୂଆସାହି ଗ୍ରାମର ଚନ୍ଦ୍ରକାନ୍ତି ବେହେରା ରବିବାର ରାତିରେ ଘରେ ଥିବାବେଳେ କିଛି ଟଙ୍କା ନେଣଦେଣକୁ ନେଇ ତାଙ୍କ ସ୍ଵାମୀ ଛତିଶ ବେହେରାଙ୍କ ସହିତ କଥା କଟାକଟି ହୋଇଥିଲା ।  କଥା କଟାକଟି ହେବା ପରେ ସ୍ଵାମୀ ଛତିଶ ବେହେରା ଏବଂ ପୁଅ କାର୍ତ୍ତିକ ବେହେରା ଅତି ନିର୍ଦ୍ଦୟ ଭାବେ ଚନ୍ଦ୍ରକାନ୍ତିଙ୍କୁ ପିଟି ପିଟି ଗୁରୁତର କରିଥିଲେ ।  ପରେ ତାଙ୍କ ପାଟିରେ ବିଷ ଦେଇଥିଲେ ।  ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ଚନ୍ଦ୍ରକାନ୍ତିଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଚନ୍ଦ୍ରକାନ୍ତିଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବାର ଲିଖିତ ଅଭିଯୋଗ କରିଛି ।  ଅନ୍ୟପଟେ ଘଟଣା ଭିଆଇବା ପରେ ଉଭୟ ସ୍ଵାମୀ ଏବଂ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି ।  ତେବେ ପିଟି ପିଟି ହତ୍ୟା କରିବା ଘଟଣାକୁ ଚନ୍ଦ୍ରକାନ୍ତିଙ୍କ ଶ୍ବଶୁର ଅସ୍ଵୀକାର କରିଛନ୍ତି । ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love