ଝିଅର ନିର୍ବନ୍ଧ ପରେ ଟଳି ପଡ଼ିଲେ ବାପା
ହାତରେ ମେହେନ୍ଦି। କାନ୍ଥରେ ଝୋଟି।ଘର ଭିତରେ ଖୁସୀର ଲହରୀ। ଅଲିଅଳି ଝିଅ ବାହାହେବ,ଘର ଦୁଆରେ ସହାନାଇ ବାଜିବ, ବନ୍ଧୁ ବର୍ଗ ଆସିବେ, ଝିଅକୁ କେତେ ସଜେଇବ। ଏମିତି କେତେ କଣ ଭାବିଥିଲେ ବାପା। ଅଭାବ ଭିତରେ ସଂସାରକୁ ଚଳାଉଥିବା ବେଳେ କେବେ ଥକି ପଡ଼ି ନ ଥିଲେ, ବାପା। ଝିଅ ବହାଦବେ ବୋଲି ବର୍ଷେ ହେଲାଣି ଗୋଟିଏ ଗୋଟିଏ ଜିନିଷ କିଣି ଚାଲିଛନ୍ତି। ଶାଶୁ ଘରେ ଯେମିତି ଝିଅକୁ କିଛି କହିବେ ନାହିଁ, ସେଥିପାଇଁ ଝିଅକୁ ସଂସ୍କାର ଶିଖାଉଥିଲେ। ଝିଅକୁ ସବୁବେଳେ ବୁଝାଇଛନ୍ତି। ଆଜି କିନ୍ତୁ ନିଘୋଡ଼ ନିଦରେ ସୋଇପଡିଛନ୍ତି ବାପା।
ଯେଉଁ ଘର ଦୁଆର ମୁହଁରୁ ସବାରି ଉଠିବା କଥା ଆଜି କୋକେଇ ଯାଉଛି।ଯେଉଁଠି ସବାରୀରେ ଝିଅ ବିଦା ହେବା କଥା, ଆଜି ସେହି ଘର ଦୁଆରୁ ବାପାର ଶବ ଯାଉଛି। ଯେଉଁଠି ସାହାନାଇର ଶବ୍ଦ ଶୁଭିବା କଥା, ସେହି ଦୁଆର ମୁହଁରେ ରାମ୍ ନାମ ସତ୍ୟା ହେ ଶୁଭୁଛି। ଏପରି ଦୁଃଖଦ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲା ଚାରିଗା ପଞ୍ଚାୟତ ଅନ୍ତର୍ଗତ ଜୟକୃଷ୍ଣପୁର ଗାଁରୁ। ଏହି ଗାଁର ରମେଶ ବାରିକ ତାଙ୍କ ଝିଅ ବାହାଘର ପାଇ ନିର୍ବନ୍ଧ କରୁଥିଲେ। ଗାଁ ପାଖ ସାତ ଭଉଣୀ ଠାକୁରାଣୀଙ୍କ ପୀଠରେ ନିର୍ବନ୍ଧ ଚାଲିଥିଲା। ବନ୍ଧୁ ବାନ୍ଧବ ଓ ଭଦ୍ରଲୋକ ଉପସ୍ଥିତି ଥିଲେ। ଆନନ୍ଦରେ ସମସ୍ତେ ଖାଇଲେ। ବାହାଘର ତାରିଖ ସ୍ଥିର ହେଲା।
ଖୁସିରେ ସମସ୍ତଙ୍କୁ ବିଦା କରିବା ବେଳେ ହଠାତ୍ ରମେଶ ବାବୁ ତଳେ ପଡ଼ିଗଲେ। ବାରମ୍ବାର ଖରାରେ ଏପଟ ସେପଟ ହେଉଥିଲେ। ଏଣୁ ଚେତା ବୁଡିଯାଇଥିବ, ଏଣୁ ଲୋକେ ପାଣି ଢାଳିଲେ, ଇନ୍ଦୁପୁର ହସ୍ପିଟାଲ ନେଇଗଲେ। ପରେ କେନ୍ଦ୍ରାପଡା ହସ୍ପିଟାଲ ନେଲେ। ଭାଗ୍ଯର ବିଡମ୍ବନା, ଏହି ଖୁସିର ଉତ୍ସବରେ ଦୁଃଖର ଖବର ଆସିଲା। ରମେଶ ବାବୁ ଆଉ ନାହାନ୍ତି। ରମେଶ ବାରିକଙ୍କର୍ ଦୁଇ ପୁଅ ଗୋଟିଏ ଝିଅ, ଅଲିଅଳି ଝିଅର ବାହାଘର ଧୁମ୍ ଧାମରେ କରିବେ। ସବୁ ସ୍ବପ୍ନ ପାଲଟି ଗଲା। ଯେଉଁ ଝିଅ ଘରୁ ବିଦାୟ ନେବା ବେଳେ ବାପାକୁ ଧରି ବହୁନି କାନ୍ଦିଥାନ୍ତା। ଆଜି ସେହି ଝିଅ ବାପାର ଶବ ପାଖରେ ଛାତି ଫଟା କାନ୍ଦ କାନ୍ଦୁଛି। କାହାରି ଧାର୍ଯ୍ଯ ରହୁନାହିଁ, ତଥାପି ଝିଅକୁ ସମସ୍ତେ ଶାନ୍ତ୍ବନା ଦେଉଛନ୍ତି,ଧର୍ଯ୍ଯ ରଖିବାକୁ କହୁଛନ୍ତି।