ବଇରି ସାଜିଲା କରୋନା, ବୋହୂର ଏକାଦଶ ଦିନ ଆରପାରିକୁ ଚାଲିଗଲେ ଶ୍ଵଶୁର

ବାଲେଶ୍ଵର ୦୭।୦୫: ବୋହୂର ଏକାଦଶ ଦିନ ଆରପାରିକୁ ଚାଲିଗଲେ ଶ୍ଵଶୁର। ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ପିତା ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଦେହାନ୍ତ। ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ଵର୍ଷ ହୋଇଥିଲା। ହେଲେ ବିଡମ୍ବନାର କଥା ଆଜି  ଶଙ୍କର୍ଷଣ ପଣ୍ଡାଙ୍କ ବୋହୂ ତଥା ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ଏକାଦଶ ଚାଲିଥିଲା। ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ ଏବଂ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ। ତୃପ୍ତିଙ୍କ କରୋନାରେ ମଧ୍ୟ ମୃତ୍ୟୁ ଘଟିଥିଲା।

ଦାମ ପଣ୍ଡାଙ୍କ ଭାଇ ତଥା ତୃପ୍ତିଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା କରୋନା ସଂକ୍ରମିତ ହୋଇ ବାଲେଶ୍ଵର  କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ତୃପ୍ତି ପଣ୍ଡାଙ୍କ ଗତ ୨୭ ତାରିଖରେ କରୋନାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ଓ୍ଵାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ହେଲେ ଆଜି ତାଙ୍କର ଏକାଦଶର ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ତାଙ୍କ ଶ୍ଵଶୁର ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଦେହାନ୍ତ ଘଟିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

Spread the love