କରୋନା ସଙ୍କଟ ଦୂର ନହେବା ପର୍ଯ୍ୟନ୍ତ ସେବା କାର୍ଯ୍ୟ ଜାରି ରହିବ : ବିଜେପି

ଭୁବନେଶ୍ୱର: ୨୦/୦୪: ବୈଶ୍ୱିକ ମହାମାରୀ କରୋନା କବଳରେ ସମଗ୍ର ବିଶ୍ୱ । ଏହି ମହାମାରୀ କରୋନା  ଯୁଦ୍ଧରେ ବିଶ୍ୱର ସମସ୍ତ ରାଷ୍ଟ୍ର ଲଢେଇ କରୁଛନ୍ତି । ବିଶ୍ୱର ପ୍ରାୟ ସମସ୍ତ ବିକଶିତ ରାଷ୍ଟ୍ର ଆଜି ଅସହାୟ ହୋଇପଡିଥିବାବେଳେ ଭାରତବର୍ଷରେ ଏହି ଯୁଦ୍ଧର ନେତୃତ୍ୱ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ।

ସମଗ୍ର ବିଶ୍ୱ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ସଂକଟରୁ ମୁକ୍ତି ପାଇବା ପାଇଁ ପରାମର୍ଶ ନେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛି । ଦେଶରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ‘ଫିଡ୍ ଦି ନିଡି’, ‘ମାସ୍କ ଫର ଅଲ୍‌’, ‘ପିଏମ କେୟାର ଫଣ୍ଡ’, ‘ଆରୋଗ୍ୟ ସେତୁ ଆପ୍‌’ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜେପି କାର୍ଯ୍ୟକର୍ତାମାନେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ସହ ସାମାଜିକ ଦୂରତାକୁ ବଜାୟ ରଖି ଏହି ସମସ୍ତ କାର୍ଯ୍ୟକୁ ସଂପାଦନା କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍‌ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକ, ଖଟିଖିଆଙ୍କୁ ସରକାରଙ୍କ ନିର୍ଦ୍ଦେଶନାମା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଂଟନ କରୁଛନ୍ତି ।

ବର୍ତମାନ ସୁଦ୍ଧା ୧୦ ହଜାରରୁ ଉର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ ଟି ବିଧାନସଭା କ୍ଷେତ୍ର, ୩୬ଟି ସାଙ୍ଗଠନିକ ଜିଲ୍ଲା, ୪୦୦ଟି ବ୍ଲକ ଓ ପୈାରପାଳିକାରେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରୁଛନ୍ତି ।

ପ୍ରତିଦିନ ପ୍ରତ୍ୟେକ ଜିଲ୍ଲାରେ କମ୍ୟୁନିଟି କିଚେନ ଖୋଲାଯାଇ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ପୁଡିଆ, ରାସନ ସାମଗ୍ରୀ ବଂଟନ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love