ନକ୍ସଲ ଆକ୍ରମଣ ପରେ କିଛି ଏମିତି କହିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ । ଦାନ୍ତେୱାଡାର ଅରନପୁର ଅଞ୍ଚଳରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ୧୦ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ଗାଡିକୁ ଲକ୍ଷ୍ୟ କରି ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ତେବେ ଏହି ଆକ୍ରମଣ ପରେ ନକ୍ସଲଙ୍କୁ ଘେରି ଅପରେସନ ଆରମ୍ଭ କରିଛି ପୋଲିସ । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ତେବେ ଏହା ଭିତରେ ପୋଲିସକୁ ସହାୟତା କରିବାକୁ ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହି ଆକ୍ରମଣକୁ କଡା ନିନ୍ଦା କରିବା ସହ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି କାହାକୁ ଛଡାଯିବନି । ଯୋଜନାବଦ୍ଧ ଭାବେ ନକ୍ସଲଙ୍କୁ ନିପାତ କରାଯିବ । ଏବେ ଅନ୍ତିମ ଲଢେଇ ଚାଲିଛି, କୌଣସି ରୂପେ ନକ୍ସଲଙ୍କୁ ଛଡାଯିବନି । ଏହାସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଭୂପେଶ ବାଘେଲ । ଅନ୍ୟପଟେ ଏହି ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହା ।
ମିଳିଥିବା ସୂଚନା ମୁତାବକ, ଡିଆରଜି ଯବାନ ଅପରେସନ ଶେଷ କରି ଫେରୁଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଆଇଡି ଜରିଆରେ ବିସ୍ଫୋରଣ କରି ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ ନକ୍ସଲ । ସଙ୍ଗେ ସଙ୍ଗେ ଯବାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

Spread the love