ପେନାଲ୍ଟି କର୍ଣ୍ଣର ବେଳେ ଖେଳାଳିଙ୍କ ସୁରକ୍ଷା ନିୟମରେ ପରିବର୍ତ୍ତନ କରିବ ଏଫ୍ଆଇଏଚ୍
ଭୁବନେଶ୍ବର: ହକି ମ୍ୟାଚ୍ ବେଳେ ପେନାଲ୍ଟି କର୍ଣ୍ଣର ସବୁଠୁ ଅଧିକ ଦୃଶ୍ୟମାନ ଘଟଣା ହୋଇଥାଏ। କିନ୍ତୁ ପେନାଲ୍ଟି କର୍ଣ୍ଣର ନେଲା ବେଳେ ଅଧିକାଂଶ ସମୟରେ ଡ୍ରାଗ୍ ଫ୍ଲିକ୍ସରେ ବଲ୍ର ବେଗ ଘଣ୍ଟାପ୍ରତି ୧୫୦ କିମିରୁ ଅଧିକ ହୋଇଯାଇଥାଏ। ଯାହାଦ୍ବାରା ପ୍ରତିପକ୍ଷର ରକ୍ଷଣଭାଗ ଖେଳାଳିମାନେ ଆହତ ହେବା ସମ୍ଭାବନା ରହୁଛି। ବିଶେଷକରି ଯେଉଁମାନେ ଡ୍ରାଗ୍ ଫ୍ଲିକରଙ୍କ ଆଡ଼କୁ ମାଡ଼ିଯାଇଥା’ନ୍ତି, ସେମାନେ ଏହାର ଶିକାର ଅଧିକ ହୋଇଥା’ନ୍ତି। ତେଣୁ ଏଭଳି କ୍ଷେତ୍ରରେ ଆହତ ସମସ୍ୟାକୁ ଏଡ଼ାଇବା ପାଇଁ ପେନାଲ୍ଟି କର୍ଣ୍ଣରର କିଛି ନିୟମରେ ପରିବର୍ତ୍ତନ ପାଇଁ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍ଆଇଏଚ୍) ବିଚାର କରୁଛି।
ଏଫ୍ଆଇଏଚ୍ ସଭାପତି ତୟମ ଇକ୍ରାମ ଗତ ରବିବାର ରାଉରକେଲାରେ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ। ତାଙ୍କ ମତରେ ପେନାଲ୍ଟି କର୍ଣ୍ଣର ସମୟରେ ଖେଳାଳିମାନଙ୍କ ସୁରକ୍ଷା ଉପରେ ଅଧିକ ତର୍ଜମା କରାଯାଉଛି। କାରଣ ଖେଳାଳିଙ୍କ ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦିଆଯାଏ। ଆମେ ମଧ୍ୟ ଏହା ଉପରେ କାମ କରୁଛୁ। ଯେଉଁଥିପାଇଁ ଆଗକୁ ଏଫ୍ଆଇଏଚ୍ ପକ୍ଷରୁ କିଛି ନୂଆ ପରୀକ୍ଷାନିରୀକ୍ଷା କରାଯିବାକୁ ଚିନ୍ତା କରାଯାଇଥିବା ଏକ୍ରାମ ସୂଚନା ଦେଇଛନ୍ତି। ପେନାଲ୍ଟି କର୍ଣ୍ଣର ଉପରେ ପ୍ରଥମ ପରୀକ୍ଷା ୨୦୨୧ କନିଷ୍ଠ ବିଶ୍ବକପ୍ ସମୟରେ କରାଯାଇଥିଲା। ଯେଉଁଥିରେ ନିୟମାବଳୀର ଧାରା ୪.୨ରେ ପରିବର୍ତ୍ତନ କରାଯାଇଥିଲା।
ନୂଆ ନିୟମରେ ଖେଳାଳିମାନଙ୍କୁ ପେନାଲ୍ଟି କର୍ଣ୍ଣର ସମୟରେ ୨୩ ମିଟର ପରିଧି ମଧ୍ୟରେ ସୁରକ୍ଷା ଉପକରଣ ପରିଧାନ କରିବାକୁ ଦିଆଯାଇଥିଲା। ତେବେ ପ୍ରଥମ ପ୍ରୟାସ ଶେଷ ହେବା ପରେ ଖେଳାଳିମାନଙ୍କୁ ତୁରନ୍ତ ସୁରକ୍ଷା ଉପକରଣ କାଢିନେବାକୁ କୁହାଯାଉଥିଲା। ଏପରିକି ଗତ ବର୍ଷ ମେ’ ମାସରେ ଏଫ୍ଆଇଏଚ୍ ପକ୍ଷରୁ ‘ପେନାଲ୍ଟି କର୍ଣ୍ଣର ଭବିଷ୍ୟତ’ ଶୀର୍ଷକରେ ଖେଳାଳିମାନଙ୍କ ସୁରକ୍ଷା ଉପରେ ହକି ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କଠୁ ମତ ଲୋଡ଼ିଥିଲା। ତେବେ ଡ୍ରାଗ୍ ଫ୍ଲିକ୍ ସମୟରେ ବଲ୍ର ଗତି ଉପରେ ନିୟନ୍ତ୍ରଣ ଆଣିବା ସମ୍ଭବ ହେବନି। ତେଣୁ ରକ୍ଷଣଭାଗ ଖେଳାଳିମାନେ କିପରି ଶୀଘ୍ର ପ୍ରତିକ୍ରିୟା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇପାରେ ବୋଲି ଇକ୍ରାମ ପରାମର୍ଶ ଦେଇଛନ୍ତି। ତଥାପି ବିଶ୍ବକପ୍ ପରେ ପ୍ରୋ ଲିଗ୍ ମ୍ୟାଚ୍ଗୁଡ଼ିକରେ ଏହି ପରୀକ୍ଷାନିରୀକ୍ଷା କରାଯିବା ସମ୍ଭାବନା ଅଧିକ ଥିଲେ ବି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ପେନାଲ୍ଟି କର୍ଣ୍ଣର ନିୟମରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନଥିବା ଜଣାପଡ଼ିଛି।