ଇନଡୋର ଓ ଆଉଟଡୋର ସୁଟିଂ ଉପରେ ଲାଗିଲା କଟକଣା

ରାଜ୍ୟରେ ଚିନ୍ତା ବଢାଇଛି କରୋନାର ୨ୟ ଲହରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ରାଜ୍ୟ ସରକାର । କରୋନା ମହାମାରୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ସୁଟିଂ ଉପରେ ରୋକ୍‌ ଲଗାଇଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଇନ୍ ଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ଓ ଟେଲିଭିଜନ୍ ସିରିଏଲ୍ ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେଶାଲ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଫିଲ୍ମ ଓ ଟେଲିଭିଜନ୍ ସିରିଏଲ୍ ସଂପର୍କିତ ସୁଟିଂକୁ ଅନୁମତି ମିଳିବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଏହି ସବୁ କାର୍ଯ୍ୟ ଉପରେ ରୋକ୍‌ ଲଗାଇଛନ୍ତି ସରକାର।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୁଣି ଗତ ୨୪ ଘଣ୍ଟାରେ ୧୧ ହଜାର ୭୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪ ଜଣ କୁ ଛୁଇଁଛି। ସେପଟେ ସଂକ୍ରମଣର ନିଆଁ ହୁତ୍‌ ହୁତ୍‌ ହୋଇ ଜଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

Spread the love