ଏବେ ବସ୍ତରକୁ ନେଇ ସିନେମା ନିର୍ମାଣ କରିବେ ‘ଦି କେରଳ ଷ୍ଟୋରୀ’ ମେକର୍ସ

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପୂର୍ବରୁ ଦି କେରଳ ଷ୍ଟୋରୀ ଚଳଚ୍ଚିତ୍ର ନିର୍ମାଣ କରିଥିବା ଟିମ ବର୍ତ୍ତମାନ ଛତିଶଗଡର ବସ୍ତରକୁ ନେଇ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ଫିଲ୍ମର ନାମ ‘ବସ୍ତର’ ରଖାଯାଇଛି | ଏହି ଚଳଚ୍ଚିତ୍ରଟି ବସ୍ତରର ନକ୍ସଲ ସମସ୍ୟା ଉପରେ ଆଧାରିତ ହୋଇପାରେ। ଛତିଶଗଡରେ ପ୍ରଥମ ଥର ପାଇଁ ଏକ ବଡ ବଜେଟରେ ବଲିଉଡ ଫିଲ୍ମ ନିର୍ମାଣ କରାଯାଉଛି। ସେଥିପାଇଁ ପୋଷ୍ଟର ଲଞ୍ଚ ହେବା ପରଠାରୁ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଗତକାଲି ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଘନ ଜଙ୍ଗଲ, ନକ୍ସଲମାନଙ୍କ ଉପସ୍ଥିତି, ବନ୍ଧୁକ ଏବଂ ଆତଙ୍କକୁ ଦର୍ଶାଯାଇଛି |

ଏହି ଚଳଚ୍ଚିତ୍ରର ପୋଷ୍ଟରରେ ଲେଖା ଯାଇଛି ଯେ, ‘ଲୁଚି ଯାଇଥିବା ସତ୍ୟ ଯାହା ଦେଶରେ ଝଡ ନେଇ ଆସିବ’ | ଟ୍ୱିଟରରେ ଫିଲ୍ମର ପୋଷ୍ଟର ରିଲିଜ୍ କରି ଏହାର କ୍ୟାପସନରେ ଲେଖା ହୋଇଛି ଯେ ଫିଲ୍ମରେ ଏକ ରୋଚକ ସତ୍ୟ ଘଟଣା ଦେଖିବାକୁ ମିଳିବ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ୫ ଏପ୍ରିଲ ୨୦୨୪କୁ ମନେ ରଖନ୍ତୁ | ଅର୍ଥାତ ଚଳଚ୍ଚିତ୍ର ନିର୍ମାତାମାନେ ୨୦୨୪ରେ ଫିଲ୍ମ ରିଲିଜ୍ କରିବେ। ତେବେ ଫିଲ୍ମରେ କେଉଁ ସବୁ ଅଭିନେତା/ଅଭିନେତ୍ରୀ ଅଭିନୟ କରିବେ ସେ ନେଇ ଜଣାପଡିନାହିଁ | ଉଲ୍ଲେଖ ଥାଉ କି ଯେ ନକ୍ସଲମାନେ ବସ୍ତରରେ ପ୍ରାୟ ୪ଦଶନ୍ଧି ଧରି ନିଜର ପତିଆରା ଦେଖାଉଥିବାବେଳେ ଏହି ସମୟ ମଧ୍ୟରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହଜାର ହଜାର ଏନକାଉଣ୍ଟର ହୋଇଛି। ଅନେକ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ନିରୀହ ଲୋକଙ୍କୁ ମଧ୍ୟ ନକ୍ସଲମାନେ ହତ୍ୟା କରିଛନ୍ତି |ତେବେ ସିଆରପିଏଫ କ୍ୟାମ୍ପ ଯୋଗୁଁ ନକ୍ସଲମାନଙ୍କ ଆତଙ୍କ ଟିକେ ହ୍ରାସ ପାଇଛି। ବିଶେଷ କରି ଏହି ଅଂଚଳର ବିକାଶ ନକ୍ସଲମାନଙ୍କ ଯୋଗୁଁ ବହୁ ଦୂରକୁ ଠେଲି ହୋଇଯାଇଛି | ସୂଚନା ଥାଉ କି ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

Spread the love