କଟକର ଗ୍ରାହକଙ୍କ ଅନୁରୋଧ ନଶୁଣି ବ୍ଲକ କରିଦେଲା ଆଇଡି, ଫ୍ଲିପ୍‌କାର୍ଟକୁ ୪୦ ହଜାର ଜରିମାନା

କଟକ: ଇ-କମର୍ସ ବ୍ୟବସାୟ ସଂସ୍ଥା ‘ଫ୍ଲିପ୍‌କାର୍ଟ’କୁ କଟକ ଖାଉଟି ଅଦାଲତ ୪୦,୦୦୦ ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଗ୍ରାହକଙ୍କୁ ତାଙ୍କ ଚାହିଦା ଠାରୁ ଅଧିକ ସାମଗ୍ରୀ ଦେବା ଓ ତାଙ୍କ ଆଇଡିକୁ ବ୍ଲକ କରିଦେବା ଅଭିଯୋଗରେ ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଅଧ୍ୟକ୍ଷ ଦେବାଶିଷ ନାୟକ ଏବଂ ସଦସ୍ୟ ସଦାନନ୍ଦ ମହାନ୍ତି ୪୦ ହଜାର ଜରିମାନା ସହିତ ଗ୍ରାହକଙ୍କ ଅଧିକ ସାମଗ୍ରୀର ମୂଲ୍ୟ ସହିତ ୧୨ ପ୍ରତିଶତ ସୁଧ ଦେବାକୁ ଆଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, କଟକ ସିଡିଏ ନିବାସୀ ଡକ୍ଟର ସୁନୀଲ କୁମାର ରଥ ଫ୍ଲିପକାର୍ଟରୁ ୫୦୦ ଗ୍ରାମର ପାଉଡର ଅର୍ଡର୍ କରିଥଲେ। କିନ୍ତୁ ଫ୍ଲିପକାର୍ଟ୍ ତରଫରୁ ଶ୍ରୀ ରଥଙ୍କୁ ୫୦୦ ଗ୍ରାମ୍‌ ପରିବର୍ତ୍ତେ ୭୫୦ ଗ୍ରାମ ଓଜନର ବର୍ଣ୍ଣଭିଟା ପାଉଡ଼ର ଦିଆଯାଇଥିଲା। ଶ୍ରୀ ରଥ ଅଧିକ ୨୫୦ ଗ୍ରାମ ଓଜନର ବର୍ଣ୍ଣଭିଟା ପାଉଡର କଂପାନିକୁ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ।

ତେବେ ଏହି ଅନୁରୋଧ ପରେ ଫ୍ଲିପ୍‌କାର୍ଟ ପକ୍ଷରୁ ଶ୍ରୀ ରଥଙ୍କ ଆଇଡିକୁ ବ୍ଲକ କରିଦିଆ ଯାଇଥିଲା। ଏଣୁ ଶ୍ରୀ ରଥ ଖାଉତି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏନେଇ ଏକ ମାମଲା ସିସି୧୫୬/୨୦୨୩ ମାମଲା ରୁଜୁ ହୋଇଥିଲା। ଗତ ୧୮ ତାରିଖରେ କୋର୍ଟ ଅଧ୍ୟକ୍ଷ ଦେବାଶିଷ ନାୟକ ଏବଂ ମେମ୍ୱର ସଦାନନ୍ଦ ମହାନ୍ତି ଆବେଦନକାରୀ ଶ୍ରୀ ରଥଙ୍କୁ ୧୮୧୮/ବର୍ଣ୍ଣଭିଟା ମୂଲ୍ୟ ସହିତ ଗତ ଏପ୍ରିଲ ୪ ତାରିଖ ଠାରୁ ୧୨% ସୁଧ।, ୩୦,୦୦୦ ଟଙ୍କା ଜରିମାନା ଓ  ୧୦୦୦୦ ଟଙ୍କା ଅଦାଲତ ଖର୍ଚ୍ଚ ୩୦ ଦିନମଧ୍ୟରେ ଦେବାକୁ ଫ୍ଲିପ୍‌କାର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ମାନ୍ୟବର କୋର୍ଟ ଫ୍ଲିପ୍‌କାର୍ଟକୁ ଏକ ଭଙ୍ଗା କିଙ୍ଗ ସାଇଜ୍‌ ଖଟ ବିକ୍ରି ଅଭିଯୋଗର ଶ୍ରୀ ରଥ କଟକ ଜିଲ୍ଲା ଖାଉଟି ଅଦାଲତରେ ସିସି-୨୨୩/୨୦୨୨ ଦୟାର କରିଥିଲେ। ଏହି ମାମଲାରେ କୋର୍ଟ ୪୯,୦୦୦ ଟଙ୍କା ଜରିମାନା କରିଥଲେ।

Spread the love