ରାତିରେ କାହା ସହ କଥା ହେଉଛ? ସଦାଚାର କମିଟିର ଏ ପ୍ରଶ୍ନ ଶୁଣି ଅଧାରୁ ବାହାରକୁ ଚାଲିଗଲେ ମହୁଆ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ଲୋକସଭାର ସଦାଚାର କମିଟି ନିକଟରେ ହାଜର ହୋଇଥିଲେ। ପଚରାଉଚରା ଚାଲିଥିବା ବେଳେ ମହୁଆ ଅଧାରୁ ଉଠି ଚାଲି ଆସିଥିବା ଜଣାପଡ଼ିଛି। ତାଙ୍କୁ ପଚରାଯାଇଥିବା ପ୍ରଶ୍ନ ପାଇଁ ସେ ରାଗରେ ବାହାରକୁ ଚାଲି ଆସିଥିବା କହିଛନ୍ତି। କେବଳ ସେ ନୁହନ୍ତି ବିଏସପି ସାଂସଦ ଦାନିଶ ଅଲିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବୁଧବାର ସଂସଦର ସଦାଚାର କମିଟିର ବୈଠକକୁ ବଏକଟ କରିଛନ୍ତି।

ବିଏସପି ସାଂସଦ ଦାନିଶ ଅଲି କହିଛନ୍ତି ଯେ ସଦାଚାର କମିଟି ମହୁଆଙ୍କୁ ରାତିରେ କାହା ସହ କଥା ହେଉଛ ବୋଲି ପଚାରିଥିଲେ। ତେଣୁ ଆମେ ସମସ୍ତେ ଏହାର ବିରୋଧ କରି ବାହାରକୁ ଚାଲିଆସିଲୁ। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଉତ୍ତମ କୁମାର ରେଡ୍ଡୀ କହିଛନ୍ତି, ‘ସଦାଚାର କମିଟି ଅଧ୍ୟକ୍ଷଙ୍କ ଦ୍ୱାରା ମୈତ୍ରଙ୍କୁ ପଚରାଯାଇଥିବା ପ୍ରଶ୍ନ ଆମକୁ ଅଶୋଭନୀୟ ଏବଂ ଅନୈତିକ ଲାଗିଲା।’

ଉଲ୍ଲେଖଯୋଗ୍ୟ, ଟିଏମସି ସାଂସଦ ମହୁଆ ମୈତ୍ର ଆଜି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭାର ସଦାଚାର କମିଟି ନିକଟରେ ହାଜର ହୋଇଥିଲେ। ଦିନ ୧୧ଟା ସମୟରେ ସେ ସଂସଦରେ ପହଞ୍ଚିଥିଲେ। ୨ଘଣ୍ଟା ପର୍ଯ୍ୟନ୍ତ ଆଇଟି, ବୈଦେଶିକ ବ୍ୟାପାର ଏବଂ ଗୃହ ମନ୍ତ୍ରାଳୟର ରିପୋର୍ଟ ଯାଞ୍ଚ କରିବା ପରେ ସଦାଚାର କମିଟି ମହୁଆଙ୍କୁ ପଚରାଉଚରା କରିଥିଲା। ମହୁଆ କମିଟି ସାମ୍ନାରେ ଦେଢ଼ ଘଣ୍ଟା ବସି ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ସମୟରେ ସେ କହିଥିଲେ ଯେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କୁ ଟାର୍ଗେଟ କରାଯାଉଛି। ସେ କିଛି ଭୁଲ କରିନାହାଁନ୍ତି।

Spread the love