ନାଟୋରେ ଯୋଗ ଦେବାକୁ ଫିନ୍‌ଲାଣ୍ଡର ଘୋଷଣା

ନୂଆଦିଲ୍ଲୀ: ରୁଷ୍‌ର ଅନ୍ୟତମ ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ନାଟୋରେ ଯୋଗଦେବାକୁ ଘୋଷଣା କରିଛି। ଫିନଲାଣ୍ଡ ରାଷ୍ଟ୍ରପତି ସୌଲି ନିନିଷ୍ଟୋ ଓ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଗତକାଲି ରାଷ୍ଟ୍ରପତି ଭବନରେ ଏକ ମିଳିତ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ନିଷ୍ପତ୍ତିକୁ ଫିନଲାଣ୍ଡ ପାର୍ଲାମେଣ୍ଟର ଅନୁମୋଦନ ଆବଶ୍ୟକ ଥିବାବେଳେ ଏହା କେବଳ ଏକ ବିଧିବ୍ୟବସ୍ଥା ଭାବେ ବାକି ରହିଛି। ପାର୍ଲାମେଣ୍ଟର ଅନୁମୋଦନ ପରେ ବ୍ରସେଲ୍ସସ୍ଥିତ ନାଟୋ ମୁଖ୍ୟାଳୟରେ ଫିନଲାଣ୍ଡ ନିଜର ସଦସ୍ୟତା ପାଇଁ ବିଧିବଦ୍ଧ ଆବେଦନ କରିବ ବୋଲି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଏହି ଆବେଦନ ପ୍ରକ୍ରିୟା ଆସନ୍ତା ସପ୍ତାହରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ନାଟୋର ସଦସ୍ୟତା ପାଇଁ ୟୁକ୍ରେନ ଆଗ୍ରହ ପ୍ରକାଶ କରି ରୁଷ୍‌ର ଆକ୍ରୋଶର ଶିକାର ହୋଇଛି।ନାଟୋର ସଦସ୍ୟତା ପାଇଁ ୟୁକ୍ରେନ ଆଗ୍ରହ ପ୍ରକାଶ କରି ରୁଷ୍‌ର ଆକ୍ରୋଶର ଶିକାର ହୋଇଛି। ନାଟୋ ସଦସ୍ୟତା ଆବେଦନର ପ୍ରକ୍ରିୟାରୁ ୟୁକ୍ରେନ ନ ଓହରିବାରୁ ରୁଷ୍‌ ଏହା ଉପରେ ଆକ୍ରମଣ କରିଛି। ରୁଷ୍‌ ଓ ଫିନଲାଣ୍ଡ ମଧ୍ୟରେ ୧୩୦୦ କିମି ସୀମା ରହିଛି। ଏପରିକି ରୁଷ୍‌ର ସବୁଠାରୁ ବଡ ସହର ସେଣ୍ଟ ପିଟର୍ସବର୍ଗର ୧୭୦ କିମି ସୀମା ଫିନଲାଣ୍ଡ ସହ ଲାଗିଛି। ଫିନଲାଣ୍ଡ ଯଦି ନାଟୋରେ ସାମିଲ ହୁଏ ତେବେ ନାଟୋ ସହିତ ରୁଷ୍‌ର ସୀମା ଦୁଇଗୁଣ ହୋଇଯିବ। ତେବେ ନାଟୋରେ ଫିନଲାଣ୍ଡର ସଦସ୍ୟତାକୁ ତୁର୍କୀ ବିରୋଧ କରିଛି। ତେବେ ନାଟୋର ଉପମୁଖ୍ୟ କହିଛନ୍ତି ଯେ ତୁର୍କୀକୁ    ବିରୋଧ କରିବାରେ ସେମାନେ ସଫଳ ହୋଇଛନ୍ତି।ନାଟୋର ସଦସ୍ୟତା ପାଇଁ ଫିନଲାଣ୍ଡ ଘୋଷଣା କରିବା ପରେ ରୁଷ୍ ଏହାକୁ ଧମକ ଦେଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ନାଟୋରେ ଯୋଗ ଦେବାକୁ ଘୋଷଣା କରି ଫିନଲାଣ୍ଡ ବଡ ଭୁଲ୍ କରିବାକୁ ଯାଉଛି। ଫିନଲାଣ୍ଡର ଏହି ନିଷ୍ପତ୍ତି ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି କରିବ। ଫିନଲାଣ୍ଡ ଯଦି ନାଟୋରେ ଯୋଗ ଦେବାକୁ ଅଗ୍ରସର ହୁଏ ତେବେ ଏହା ୟୁକ୍ରେନ ଭଳି ସାମରିକ ଅଭିଯାନର ସମ୍ମୁଖୀନ ହେବ। ନର୍ଥ ଆଣ୍ଟଲାଟିକ୍ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ହେଉଛି ଏକ ଆନ୍ତର୍ଜାତିକ ସାମରିକ ସଂଗଠନ। ଏହା ଏକ ମିଳିତ ସୁରକ୍ଷା ବ୍ୟବସ୍ଥା। ଏଥିରେ ଏବେ ୩୦ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି। ଏହି ୩୦ ସଦସ୍ୟ ମଧ୍ୟରେ ୨୮ଟି ୟୁରୋପୀୟ ରାଷ୍ଟ୍ର ସହିତ ଆମେରିକା ଓ କାନାଡା ସଦସ୍ୟ ଅଛନ୍ତି।

Spread the love