ସଟ୍‌ସର୍କିଟ୍ ଯୋଗୁଁ ଘରେ ଲାଗିଲା ନିଆଁ, ୪ ବଖରା ସଂପୂର୍ଣ୍ଣ ପାଉଁଶ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ଭାଲୁଗୁଡା ଗ୍ରାମରେ ସଟ୍‌ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ପୋଡି ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୧୧ଟା ବେଳେ ଇନ୍ଦୁମତୀ ଓଡ଼ିଆ (୭୦)ଙ୍କ ପରିବାରର ଲୋକେ ଖାଇବା ପରେ ଶୋଇବାକୁ ଯାଇଥିଲେ। କିଛି ଘଣ୍ଟା ପରେ ଘର ଭିତର ଗରମ ଲାଗିବା ଆରମ୍ଭ ହୋଇଥିଲା ଏବଂ ସେମାନେ ଉଠିପଡ଼ିଥିଲେ। ଏହି ସମୟରେ ଇନ୍ଦୁମତୀ ଏବଂ ତାଙ୍କ ପରିବାର ଲୋକେ ଉଠି ଦେଖିବା ବେଳକୁ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ତୁରନ୍ତ ଘରେ ନିଆଁ ଲାଗିଯାଇଥିବା ବାହାରକୁ ଆସି ପଡୋଶୀଙ୍କୁ ଡାକ ପକେଇଥିଲେ। ଦେଖୁ ଦେଖୁ ନିଆଁ ଘରର ଚାରି ଆଡକୁ ବ୍ୟାପିଗଲାଣି। ସାହି ପଡ଼ିଶା ସମସ୍ତେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ। ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପଡୋଶୀ ଘରକୁ ସାମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରିଥିଲେ।

ଏହି ଅଗ୍ନିକାଣ୍ଡ ସଟ୍‌ସର୍କିଟ୍ ଯୋଗୁଁ ହୋଇଥିବା ଇନ୍ଦୁମତୀ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘରେ ରହିଥିବା ଦୁଇ ବସ୍ତା ଧାନ, ମାଣ୍ଡିଆ ୨୫ କିଲୋ, ୧୫୦ କିଲୋ ଚାଉଳ ଏବଂ ଆବଶ୍ୟକୀୟ କାଗଜପତ୍ର ସହ ନଗଦ ୧୦ ହଜାର ଟଙ୍କା ଇତ୍ୟାଦି ପୋଡ଼ି ଯାଇଥିବା ଇନ୍ଦୁମତୀ ପ୍ରକାଶ କରିଛନ୍ତି। ଅଗ୍ନିଶମ ବାହିନୀର ଓଆଇସି ଉମେଶ ଚନ୍ଦ୍ର ବାଗ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତି ନିଆଁ ଲାଗି ପୋଡ଼ି ଯାଇଥିବା ପ୍ରକାଶ କରିବା ସହ ପାଖାପାଖି ୨ ରୁ ୩ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେବାରୁ ରକ୍ଷା କରିଛନ୍ତି। ରାଜସ୍ବ ନୀରିକ୍ଷକ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପଲିଥିନ୍ ଯୋଗାଇ ଦେଇଛନ୍ତି। ଇନ୍ଦୁମତୀ ଓଡ଼ିଆ ଅତି ଗରିବ ହୋଇଥିବାରୁ ସରକାରୀ ସାହାଯ୍ୟ ସହ ଆବାସ ଯୋଜନା ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନିର୍ଦ୍ଦେଶରେ ଗାଡ଼ି ଚାଳକ ଅଚ୍ୟୁତ ଓରାମ, ଆଗ୍ନିକ ଏସ୍. ନାୟକ, ଠାକୁର ଚାଲାଣ ଆରକେ ପ୍ରଧାନ ନିଆଁକୁ ଆୟତ୍ତ କରିଥିଲେ।

Spread the love