ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୪୪ ମୃତ

ବାଂଲାଦେଶ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଢାକାର ଏକ ରେଷ୍ଟୁରାଣ୍ଟରେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୧୩ଟି ଦଳକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛି । ଗ୍ରୀନ୍ କୋଜି କଟେଜ୍ ନାମକ ଏହି ବିଲ୍ଡିଂରୁ ୭୫ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିରୁ ୪୨ଜଣ ଚେତାଶୂନ୍ୟ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଢାକା ମେଡିକାଲ କଲେଜ ଓ ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ଭର୍ତି କରାଯାଇଛି ।

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଗୁରୁବାର ରାତି ପ୍ରାୟ ୯ଟା ୫୦ ମିନିଟରେ ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା । ପରେ ଏହା ହୁହୁ ହୋଇ ଜଳି ଉଠିଥିଲା ଏବଂ ଉପର ମହଲାକୁ ବ୍ୟାପି ଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୨ ଆହତଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ସେପଟେ ରେଷ୍ଟୁରାଣ୍ଟ ମ୍ୟାନେଜର କହିଛନ୍ତି ଯେ ରେଷ୍ଟୁରାଣ୍ଟଟି ଷଷ୍ଠ ମହଲାରେ ଥିବାବେଳେ ପ୍ରଥମେ ସିଡି ଦେଇ ଧୂଆଁ ଆସୁଥିବାର ଦେଖିବାକୁ ପାଇଥିଲେ । ନିଆଁ ଲିଭାଇବା ପାଇଁ ପାଣି ପାଇପର ବ୍ୟବହାର କରାଯାଇଥିଲା ବୋଲି ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି । ତେବେ ନିଆଁ କାହିଁକି ଓ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ ।

Spread the love