କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ

କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିଛି । ତେବେ ହସ୍ପିଟାଲରେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ଯାଞ୍ଚ କରିବ ଏହି ଟିମ୍ ।

ସୂଚନାଯୋଗ୍ୟ ଯେ, କଟକ ବିଜୁ ପଟ୍ଟନାୟକ ଛକରେ ଥିବା ସନ୍ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ହୋଇଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ହସ୍ପିଟାଲର ଉପର ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ଉପର ମହଲାରେ ଅତ୍ୟନ୍ତ ଦହନଶୀଳ ଜିନିଷ ଥିବାରୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ହୁତୁ ହୁତୁ ହୋଇ ଜଳି ଉଠିଥିଲା ପୁରା ଉପର ମହଲା । ନିଆଁ ଅଲଗା ମହଲାକୁ ବ୍ୟାପିବା ପୂର୍ବରୁ ଚିକିତ୍ସାଧୀନ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ କସରତ ଆରମ୍ଭ କରିଥିଲେ ।

ଅଗ୍ନିଶମ ବିଭାଗର ହାଇଡ୍ରୋଲିକ୍ ପ୍ଲାଟଫର୍ମ ସହ ହସ୍ପିଟାଲର ଚତୁର୍ଥ ମହଲାରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀମାନେ  ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ପ୍ରାୟ ଶହେ ଜଣ ଆଗ୍ନିକ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ । ପାଖାପାଖି ଘଣ୍ଟାଏ ପରେ ନିଆଁ ଆୟତ୍ତ ହୋଇଥିଲା । ଅଗ୍ନିକାଣ୍ଡ ବେଳେ ହସ୍ପିଟାଲରେ ୧୧ଜଣ ଚିକିତ୍ସିତ ହେଉଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Spread the love