ଢେଙ୍କାନାଳରେ ଅସମୟରେ ଦାରୁ ସଂଗ୍ରହ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି,ପର୍ବପର୍ବାଣିର ସ୍ୱତନ୍ତ୍ର ତିଥି, ବାର ରହିଛିଯାହା ଶାସ୍ତ୍ରାନୁମୋଦିତ। ହେଲେ କେତେକ ଜାଗାରେ ଏହାକୁ ଅବମାନନା କରାଯାଉଛି। ଅସମୟରେ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ଅନୁଷ୍ଠିତ ହେଉଛି। ଏହାକୁ ନେଇ ଜଗନ୍ନାଥପ୍ରେମୀଦାରୁ ସଂଗ୍ରହ ଭକ୍ତ ଏବଂ ବିଶେଷକରି ମୂଳପୀଠ ଶ୍ରୀମନ୍ଦିରର ସେବାୟତମାନେ ଗଭୀର ଉଦ୍‍ବେଗ ପ୍ରକାଶ କରିଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଅନେକ ଘଟଣାରେ ପଦକ୍ଷେପ ନେଉଥିଲେ ହେଁ ଏହା ଉପରେ ରୋକ୍‍ ଲାଗିପାରୁ ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ଏକଘରକିଆ ଗ୍ରାମ ଶରଣ ଶ୍ରୀକ୍ଷେତ୍ରରେ। ସେଠାରେ ଅସମୟରେ ନବକଳେବର ବନଯାଗ ବିଧି ଅନୁଯାୟୀ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଦାରୁ ଚୟନ ଓ ସଂଗ୍ରହ ହେବାକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ଏ ନେଇ ସିଂହଦ୍ୱାର ଥାନାରେ ଗତକାଲି ଏତଲା ଦେଇଛନ୍ତି ଦଇତାପତି ସେବକ ଜଗଦ୍ଦୀଶ ଦାସମହାପାତ୍ର।

 ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ମୂଳପୀଠ ହୋଇଥିବାରୁ ଏଠାରେ ପରମ୍ପରା ଅନୁସାରେ ନବକଳେବର କରାଯିବାର ବିଧି ରହିଛି। କେଉଁ ବର୍ଷ ନବକଳେବର ପଡ଼ିବ ତାହା ଶାସ୍ତ୍ରାନୁମୋଦିତ। ଶେଷଥର ୨୦୧୫ ମସିହାରେ ନବକଳେବର ପଡ଼ିଥିଲା। ଶ୍ରୀବିଗ୍ରହ ପରିବର୍ତ୍ତନ ନେଇ ଆବଶ୍ୟକୀୟ ଦାରୁ ସଂଗ୍ରହ ଓ ବନଯାଗ ପଦ୍ଧତିରେ ଯଜ୍ଞ ଓ ଦାରୁ ଛେଦନ କରାଯାଇଥିଲା।

ତେବେ ମୂଳପୀଠ ଛଡା ଅନ୍ୟ କୌଣସି ସ୍ଥାନରେ ନବକଳେବର ଏବଂ ଦାରୁ ସଂଗ୍ରହ ପରମ୍ପରା ଶାସ୍ତ୍ରସମ୍ମତ ହୋଇ ନ ଥିବାବେଳେ ଢେଙ୍କାନାଳରେ ଏଭଳି ବ୍ୟତିକ୍ରମକୁ ଦଇତାପତି ସେବକମାନେ ତୀବ୍ର ବିରୋଧ କରିଛନ୍ତି। ତେବେ କିଛିଦିନ ପୂର୍ବେ ପୁରୀର କିଛି ସେବାୟତ ଢେଙ୍କାନାଳ ଯାଇ ଦାରୁ ସଂଗ୍ରହ ନେଇ ପୂଜାପାଠ କରିଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ସମ୍ପୂର୍ଣ୍ଣ ଶାସ୍ତ୍ରୀ ବିଧିବିଧାନକୁ ଉଲ୍ଲଂଘନ କରି ଅସମୟରେ ଦାରୁ ଛେଦନ ପରମ୍ପରା ନାମରେ ଗଛ କଟାଯାଇ ଶୋଭାଯାତ୍ରାରେ ଅଣାଯାଉଥିବା ଦେଖିବାକୁ ମିଳିଛି। ତେବେ ବିଡ଼ମ୍ବନାର ବିଷୟ ଶୋଭାଯାତ୍ରାରେ ଡିଜେ ବଜାଇ ନାଚଗୀତ କରାଯାଉଥିବା ବେଳେ ଏହା ଧାର୍ମିକ ପରମ୍ପରା ପ୍ରତି କୁଠାରଘାତ ବୋଲି କୁହାଯାଉଛି। ଏପରି ପରମ୍ପରା ବିରୋଧୀ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବା ସହ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗଦ୍ଦୀଶ ସିଂହଦ୍ୱାର ଥାନାରେ ଏତେଲ ଦେଇଛନ୍ତି।

Spread the love