ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଗୁଳିକାଣ୍ଡ, ଇମ୍ରାନ ଖାନଙ୍କ ସମେତ ୪ ଆହତ , ୧ ଗିରଫ

ୱଜିରାବାଦ ୩।୧୧: ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନଙ୍କ ଆଜାଦୀ ମାର୍ଚ୍ଚରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଏଥିରେ ନିଜେ ଇମ୍ରାନଙ୍କ ସହିତ ଅନୁନ୍ୟ ୪ ଜଣ ଆହତ ହୋଇଥିବା ଖବର ଆସୁଛି। ଏହି ଗୁଳିକାଣ୍ଡ  ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ହୋଇଛି। କୁହାଯାଉଛି ଅଜ୍ଞାତ ଆତତାୟୀ ଇମ୍ରାନ ଖାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ଚଳାଇଥିଲା। ଆକ୍ରମଣରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲେବି ସେ ଆହତ ହୋଇଥିବା କୁହାଯାଇଛି।

ଇମ୍ରାନଙ୍କ ସମେତ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ମାମଲାରେ ପୋଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି। ଗୁରୁବାର ପିଟିଆଇର ଆଜାଦୀ ମାର୍ଚ୍ଚ ସପ୍ତମ ଦିନରେ ପହଞ୍ଚିଛି। ରାଲି ଚାଲିଥିବା ବେଳେ ଇମ୍ରାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ହୋଇଥିଲା। ଏଥିରେ ଇମ୍ରାନଙ୍କ ଡାହାଣ ଗୋଡରେ ବ୍ୟାଣ୍ଡେଜ ବନ୍ଧାଯାଇଥିବା ଦେଖାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଇମ୍ରାନ ସରକାରଙ୍କ ବିରୋଧରେ ଲାହୋରରୁ ଇସ୍ଲାମାବାଦ ଆଜାଦୀ ମାର୍ଚ୍ଚରେ ବାହାରିଛନ୍ତି।

ଏଥିଲାଗି ଇମ୍ରାନ ଯେଉଁ କଣ୍ଟୈନରରେ ବସି ଯାତ୍ରା କରୁଥିଲେ ତା ନିକଟରେ ଗୁଳିକାଣ୍ଡ ହୋଇଥିଲା। ଫଳରେ ଲୋକେ ଧାଁ ଧଉଡ ହୋଇଥିବା ବେଳେ ଇମ୍ରାନଙ୍କୁ କଣ୍ଟୈନରରୁ ଓହ୍ଲାଇ କାରରେ ବସାଇ ହସ୍ପିଟାଲ ନିଆଯାଇଛି। କୁହାଯାଉଛି ଆକ୍ରମଣକାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଏପରି ଆକ୍ରମଣର କାରଣ କଣ ଜଣାପଡି ନାହିଁଁ। ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।

ଫବାଦ ଚୌଧୁରୀଙ୍କ ଅନୁସାରେ ଇମ୍ରାନଙ୍କ କଣ୍ଟୈନର ଉପରକୁ ଏକେ-୪୭ରୁ ଗୁଳି କରାଯାଇଥିଲା। ଏଥିରେ ଇମ୍ରାନଙ୍କ ଡାହାଣ ଗୋଡରେ ଜଖମ ହୋଇଥିବାର ଦେଖାଯାଇଥିବା ବେଳେ ତାଙ୍କ ସହ ଥିବା ଇମ୍ରାନ ଇସ୍ମେଲ ଓ ଅନ୍ୟ ୨ ପିଟିଆଇ ନେତା ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆତତାୟୀ ହାତରେ ଏକେ-୪୭ ଧରି କଣ୍ଟୈନର ଉପରକୁ ଗୁଳି ଚଳାଉଥିବା ଦେଖାଯାଇଛି। ପୋଲିସ ଆତତାୟୀକୁ କାବୁ କରିବାରେ ସଫଳ ହୋଇଛି।

Spread the love