ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଭିଡ଼

ଭୁବନେଶ୍ୱର ୧୮।୦୭ : ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ । ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ୨ ବର୍ଷ ହେଲା ବୋଲବମ୍ ଯାତ୍ରାରେ ଲାଗିଥିଲା କଟକଣା । କିନ୍ତୁ ଏଥର ଅନୁମତି ମିଳିଥିବାରୁ କାଉଡିଆ ମାନେ ବି ବେଶ ଖୁସି ।

Spread the love