ସିଓପି-୨୮କୁ ପ୍ରଥମ ବିଜୟ: ଜଳବାୟୁ ବିପର୍ଯ୍ୟୟର ମୁକାବିଲା ପାଇଁ ଗରିବ ରାଷ୍ଟ୍ରଙ୍କୁ ମିଳିବ ପାଣ୍ଠି ସହାୟତା

ଜାତିସଂଘ: ଦୁବାଇର ଏକ୍ସପୋ ସିଟିରେ ଗୁରୁବାର ସିଓପି୨୮ ଆରମ୍ଭ ହୋଇଛି, ଯାହା ଡିସେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ। ଏହି ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଏକ ବଡ଼ ସଫଳତା ମିଳିଛି। ଗରିବ ରାଷ୍ଟ୍ରଗୁଡ଼ିକୁ ଜଳବାୟୁ ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ପାଣ୍ଠି ସହାୟତା ଯୋଗାଇ ଦେବାକୁ ଅନୁମୋଦନ ମିଳିଛି। ସିଓପି୨୮ ଅଧ୍ୟକ୍ଷ ସୁଲତାନ ଅହମଦ ଅଲ-ଜାବେର କହିଛନ୍ତି ଯେ ଏହି ନିଷ୍ପତ୍ତି ବିଶ୍ୱ ତଥା ଦୁବାଇରେ ଆମର କାର୍ଯ୍ୟକୁ ସକାରାତ୍ମକ ସଙ୍କେତ ଦେଇଛି।

ଦ୍ବିସାପ୍ତାହିକ ସିଓପି-୨୮ ସମ୍ମିଳନୀର ପ୍ରଥମ ଦିନରେ ଏହି ପାଣ୍ଠି ପ୍ରତିଷ୍ଠା କରି ପ୍ରତିନିଧିମାନେ ସରକାରଗୁଡ଼ିକ ପାଇଁ ଅନୁଦାନ ଘୋଷଣା କରିବାର ଦ୍ୱାର ଖୋଲିଥିଲେ। ପ୍ରଥମେ ସିଓପି୨୮ ଆୟୋଜକ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ୧୦୦ ନିୟୁତ ଡଲାର ଦେବାକୁ ଘୋଷଣା କରିଥିଲା। ତା’ପରେ ବ୍ରିଟେନ ୫୧ ନିୟୁତ ଡଲାର, ଆମେରିକା ୧୭.୫ ନିୟୁତ ଡଲାର ଏବଂ ଜାପାନ ୧୦ ନିୟୁତ ଡଲାର ଦେବାକୁ ପ୍ରାରମ୍ଭିକ ଭାବେ ଘୋଷଣା କରିଥିଲେ। ଏହାପରେ ୟୁରୋପୀୟ ସଂଘ ୨୪୫.୩୯ ନିୟୁତ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରେ ଜର୍ମାନୀର ୧୦୦ ନିୟୁତ ଡଲାର ଅନ୍ତର୍ଭୁକ୍ତ। ଧନୀ ଦେଶଗୁଡ଼ିକ ଅଧିକ ପରିବେଶ ପ୍ରଦୂଷଣ କରୁଛନ୍ତି ଏବଂ ଗରିବ ଦେଶଗୁଡ଼ିକ ତାହାର କୁଫଳ ଭୋଗୁଛନ୍ତି। ତେଣୁ ବର୍ଷ ବର୍ଷ ଧରି ଗରିବ ରାଷ୍ଟ୍ରଗୁଡ଼ିକ ଏହାର କ୍ଷତିପୂରଣ ତଥା ପରିବେଶ ବିପର୍ଯ୍ୟୟର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ପାଣ୍ଠି ସହାୟତା ଯୋଗାଇ ଦେବାକୁ ଦାବି କରିଆସୁଥିଲେ।

ଏହି ଶିଖର ସମ୍ମିଳନୀର ଆଉ ଏକ କାର୍ଯ୍ୟ ହେଉଛି ଗ୍ଲୋବାଲ ଷ୍ଟକ୍‌ଟେକ୍, ଯାହା ଗ୍ଲୋବାଲ ୱାର୍ମିଂକୁ ୨ ଡିଗ୍ରି ସେଲସିୟସ (୩.୬ ଡିଗ୍ରୀ ଫାରେନହିଟ୍) ତଳେ ସୀମିତ ରଖିବା ପାଇଁ ପ୍ୟାରିସ ଚୁକ୍ତି ଲକ୍ଷ୍ୟ ପୂରଣ କରିବାରେ ଦେଶଗୁଡ଼ିକର ଅଗ୍ରଗତିର ଆକଳନ କରିବ।
ଜର୍ମାନୀର ସ୍ୱତନ୍ତ୍ର ଜଳବାୟୁ ଦୂତ ଜେନିଫର ମୋର୍ଗାନ କହିଛନ୍ତି ଯେ ଏହି ପାଣ୍ଠି ଗଠନ ହେବା ପରେ ଆମେ ବର୍ତ୍ତମାନ ବିଶ୍ୱସ୍ତରୀୟ ଷ୍ଟକ୍‌ଟେକ୍ ଏବଂ ଜୀବାଶ୍ମ ଇନ୍ଧନ ବର୍ଜନ ଓ ଅକ୍ଷୟ ଶକ୍ତି ବ୍ୟବହାର ବୃଦ୍ଧି ଉପରେ ଧ୍ୟାନ ଦେଉଛୁ। ତେବେ ପାଣ୍ଠି ଖର୍ଚ୍ଚ ସରିଗଲେ ପୁଣି କେମିତି ତାହା ଭରଣା ହେବ, ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ।

Spread the love