ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ ଫାତିମା ବିବିଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏହି ସୂଚନା ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଫାତିମା କିଛି ଦିନ ହେଲା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ମଧ୍ୟ ପ୍ରଥମ ମୁସଲମାନ ମହିଳା ଯିଏକି ଦେଶର ଉଚ୍ଚତମ ନ୍ୟାୟାଳୟରେ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ।

ଫାତିମା ବିବି ୧୯୨୭ ମସିହାରେ କେରଳରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ତାଙ୍କୁ ଆଇନ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ। ୧୯୫୦ ମସିହାରେ ବିବି ବାର୍ କାଉନସିଲ୍ ପରୀକ୍ଷାରେ ଶୀର୍ଷରେ ରହି ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପାଇବାରେ ଦେଶର ପ୍ରଥମ ମହିଳା ହୋଇଥିଲେ ।

ସେ କେରଳରେ ଓକିଲ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୭୪ ମସିହାରେ ଜିଲ୍ଲା ଜଜ୍ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୦ରେ ସେ ଆୟକର ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଫାତିମା ବିବି ୧୯୮୯ରେ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ପାଇ ଇତିହାସ ରଚିଥିଲେ । ସେ ତାମିଲନାଡୁର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ସମ୍ଭାଳିଥିଲେ।

Spread the love