ହାତ ବାନ୍ଧିଲେ ମତ୍ସ୍ୟଜୀବୀ ମିଳୁନି ସହାୟତା

ଭଦ୍ରକ: ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଆରମ୍ଭ।ଏହି      କଟକଣା ଗତକାଲି ଠାରୁ ଆରମ୍ଭ ହୋଇ ୧୪ ଜୁନ ଅଥାତ ୬୧ଦିନ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ବନ୍ଦ ରହିବ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ବିଭିନ୍ନ ଜେଟି ଆଉ ମୁହାଣରେ ବୁଲିଛି ମତ୍ସ୍ୟ ବିଭାଗର ଡାକବାଜି ଯନ୍ତ୍ର। ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବାକୁ ବାରଣ କରାଯାଇଛି। ମତ୍ସ୍ୟ ବିଭାଗର ଏହି ନିର୍ଦେଶ ଏବେ ଶହ ଶହ ମତ୍ସ୍ୟଜୀବୀଙ୍କୁ ହାତବାନ୍ଧି ବସିବାକୁ ବାଧ୍ୟ କରିଛି। ମାଛ ମାରିବାକୁ ଗଲେ ଯାହାର ଚୁଲି ଜଳୁଥିଲା ଏବେ ସେ ଖାଇବେ କ’ଣ, ଚଳିବ କେମିତି ବୋଲି ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ମାଛଙ୍କ ବଂଶ ବୃଦ୍ଧି ପାଇଁ ସରକାରଙ୍କ କଟକଣା ଆଉ ଗୋଟିଏ ପଟେ ମତ୍ସ୍ୟଜୀବୀଙ୍କ ପରିବାର ଚଳାଇବା ଚିନ୍ତା। କଟକଣାକୁ ସମ୍ମାନ ଦେଉଥିଲେ ବି ସରକାରୀ ସହାୟତା କିଛି ମିଳୁ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ। ବାସୁଦେବପୁର ବ୍ଲକରେ ରହିଛି; ଚୂଡ଼ାମଣି, କଶିଆ ଓ ପଢ଼ୁଆ ଆଦି ଅଞ୍ଚଳର ମାଛଧରା ଜେଟି। ଭୁଟୁଭୁଟି, ଟ୍ରଲର ଓ ଲଞ୍ଚଠାରୁ ଆରମ୍ଭକରି ତିନି ଜେଟି ଅଞ୍ଚଳରେ ରହିଛି ଶହ ଶହ ବୋଟ। ସମୁଦ୍ରରୁ ମାଛ ମାରି ମତ୍ସ୍ୟଜୀବୀ ବର୍ଷସାରା ଚଳନ୍ତି। ତା’ସହିତ ବୋଟ ମାଲିକ, ମାଛ ଓଜନ, ଲୋଡିଂ ଅନଲୋଡିଂ, ମାଛ ବାହକ, ବିକ୍ରେତା, ଜାଲ କାରିଗର ଠାରୁ ଆରମ୍ଭ କରି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ହଜାର ହଜାର ପରିବାର ନିର୍ଭର କରି ଚଳନ୍ତି। ପ୍ରଜନନ ଋତୁରେ ସରକାରଙ୍କ ମାଛ ଧରା କଟକଣା ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡ଼ିଛି। ନିୟମ ନ ମାନିଲେ; ବୋଟ ସହିତ ମାଛଧରା ଉପକରଣକୁ ଜବତ କରାଯିବା ସହ ଜେଲ ଜୋରିମାନା ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ମତ୍ସ୍ୟ ବିଭାଗର ନିୟମ କହୁଛି। ଏହି ନିୟମ ଅନୁସାରେ ମାଛ ମାରିବାକୁ ଯାଇଥିବା ବୋଟ ଗୁଡିକ ଏବେ କୂଳକୁ ଫେରୁଛନ୍ତି। ଆଉ କେତେକ ବୋଟ ସମୁଦ୍ରରୁ ଫେରୁଥିବା ବୋଟ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି। ଦୁଇବର୍ଷର କରୋନା କଟକଣା ପାଇଁ ମାଛଧରା ବାଧାପ୍ରାପ୍ତ ହୋଇଥିଲା। ଏଥର କିଛି ମାସ ମାଛ ମାରିବା ପରେ ସରକାରଙ୍କ ନିର୍ଦ୍ଧାରିତ (ଷ୍ଟାଣ୍ଡିଂ) ନିୟମ ଲାଗୁ ହୋଇଛି। ମାଛ ମାରିବା ବନ୍ଦ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ସହ ବୋଟ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସିଂହଭାଗ ବୋଟ କୂଳକୁ ଫେରିଆସିଛନ୍ତି, ବାକି ଫେରିବା ବାଟରେ ରହିଛନ୍ତି ବୋଲି ଚୂଡ଼ାମଣି ଟ୍ରଲର ମାଲିକ ସଂଘର ସଭାପତି ଶଶିକାନ୍ତ ନାୟକ, ସମ୍ପାଦକ ହେମନ୍ତ କୁମାର ଜେନା କହିଛନ୍ତି। ମତ୍ସ୍ୟଜୀବୀଙ୍କ ସହ ମାଲିକଙ୍କ କହିବା କଥା, ସରକାରଙ୍କ ନିୟମକୁ ଆମେ ସମ୍ମାନ ଦେଉଛୁ, ହେଲେ ମାଛଧରା ବନ୍ଦ ସମୟରେ ସରକାରଙ୍କ ଯେଉଁ ନିୟମ ରହିଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନି ବୋଲି ସଂଘ ଅଭିଯୋଗ କରିଛି।

Spread the love