୨ ନାବାଳିକାଙ୍କ ସମେତ ପାତାଳି ନଦୀରେ ବୁଡ଼ି ୫ ଜଣ ନିଖୋଜ

କୋରାପୁଟ: କିଛି ମାସର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ପୁଣି ଥରେ ଡଙ୍ଗାବୁଡ଼ି ଘଟଣା ଦେଖିବାକୁ ମିଳିଛି। ପାତାଳୀ ନଦୀରେ ଡଙ୍ଗା ବୁଡ଼ିବାରୁ ୨ ଜଣ ନାବାଳିକାଙ୍କ ସମେତ ମୋଟ ୫ ଜଣ ନିଖୋଜ ଅଛନ୍ତି। ସେମାନେ ହେଲେ ଲାଲମଣି ଶିଶା(୨୩), ଶଶୀରେଖା ଆର୍ଲାବ (୨୪), ନବୀନା ଆର୍ଲାବ୍(୨୫), ପୁଷ୍ପାଞ୍ଜଳି ଆରଲାବ(୧୪) ଓ ଶାନ୍ତି ସିଶା(୧୩)।

 

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଆଜି ଏକ ଦେଶୀଡଙ୍ଗାରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ୫ ଜଣ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ୫ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ଘଟଣାସୁଳରେ ପହଞ୍ଚି ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୋଲାବ ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ିଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ସେମିଳିଗୁଡା ବ୍ଲକ ରଜପୁଟ ପଞ୍ଚାୟତ ମୁଖିବିଡ଼ାଇର ବବିତା କିର୍ଷାନୀ(୧୮), ସାବିତ୍ରୀ କିର୍ଷାନୀ(୧୯), ନୀଳା କିର୍ଷାନୀ (୧୮) ଓ କମଳୁ ବାଲଦି(୧୯)।

 

Spread the love