ବୋମା ମାଡ଼ ଘଟଣାରେ ୫ ଗିରଫ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଅଞ୍ଚଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ହୋଇଥିବା ବୋମା ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ବୋମା ଓ ଗୋଟିଏ ଖଣ୍ଡା ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ବଡ଼ବଜାର ଥାନା ଗ୍ରାମଦେବତୀ ସାହି ଅଞ୍ଚଳର ରାଜା ନାୟକ ଓ ହୀନ ସେଠୀ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଏହାକୁ ନେଇ ହରିଡ଼ାଖଣ୍ଡି ଅଞ୍ଚଳରେ ବୋମା ମାଡ଼ ହୋଇଥିବା ଘଟଣାରେ ପୁଲିସ ପକ୍ଷରୁ ଗତ ୧୬ ତାରିଖ ଦିନ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ବିବାଦରୁ ବୋମାମାଡ଼ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଗ୍ରାମଦେବତୀ ସାହିର ଅମିତ୍‌ ନାୟକ ଓରଫ ରାଜା ନାୟକ ଓ ସତ୍ୟବାନ୍‌ ଦାସଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ବୋମା ସହ ଗୋଟିଏ ଖଣ୍ଡା ଜବତ କରିଥିବା ଜଣାଯାଇଛି। ଏମାନଙ୍କ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ମାମଲା ରହିଥିବା ସହ ଗିରଫ ହୋଇଥିଲେ।

ଗତ ୧୨ ତାରିଖ ଦିନ ରାତିରେ ହୀନ ସେଠୀର ସହଯୋଗୀମାନେ ବିପକ୍ଷ ରାଜା ନାୟକ ଓ ପ୍ରଶାନ୍ତ ଓରଫ ମୁନା ନାୟକଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ। ଭୟଭୀତ ଓ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୋମା ମାଡ଼ କରାଯାଇଥିବା ପୁଲିସ ତଦନ୍ତ ‌ବେଳେ ଜାଣିବାକୁ ପାଇଥିଲା। ଏଥିନେଇ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଜଗବନ୍ଧୁ ସାହିର ଅଭିଯୁକ୍ତ ସନ୍ତୋଷ ସାହୁ ଓ ବଳିଆ ନାୟକ ଏବଂ ବଡ଼ବଜାର ଫାଷ୍ଟଗେଟ୍‌ ଅଞ୍ଚଳର ରୋସନ୍‌ ଖଟେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଦୁଇଟି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Spread the love