ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଉତ୍ତର-ସିକ୍କିମରେ ଫସି ରହିଛନ୍ତି ୩୦୦୦ ପର୍ଯ୍ୟଟକ

ଗାଙ୍ଗଟକ: ଉତ୍ତର ସିକ୍କିମ ଜିଲ୍ଲାରେ ଆକସ୍ମିକ ବନ୍ୟା ଯୋଗୁଁ ପାଙ୍ଗୋଙ୍ଗସ୍ଥିତ ୧୦ ନମ୍ବର ଜାତୀୟ ରାଜପଥ ଜଳମଗ୍ନ ହୋଇଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁବାର ଏହି ସୂଚନା ଦେଇଛନ୍ତି । ଗୁରୁବାର ରାତିରେ ଉତ୍ତର ସିକ୍କିମରେ ପ୍ରବଳ ବର୍ଷା ହେବା ଫଳରେ ନିକଟସ୍ଥ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜାତୀୟ ରାଜପଥ ଅବରୋଧ ହୋଇଛି । ଉତ୍ତର ସିକ୍କିମର ଲାଚେନ୍ ଓ ଲାଚୁଙ୍ଗ ଭଳି ଅଞ୍ଚଳ ବନ୍ୟା ଯୋଗୁଁ ରାଜ୍ୟର ବାକି ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି । ଏହା ଫଳରେ ପ୍ରାୟ ୩ ହଜାର ପର୍ଯ୍ୟଟକ ଫସି ରହିଛନ୍ତି ।

ବନ୍ୟା ଯୋଗୁଁ ରାଜପଥ ସହ ଏହାର ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ଯାନବାହନ ଚଳାଚଳ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ସ୍ଥିତିକୁ ସ୍ବାଭାବିକ କରିବାକୁ ଭାରତୀୟ ସେନା ଓ ବିଆରଓ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ବର୍ତ୍ତମାନ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏବଂ ସୀମା ସଡ଼କ ସଂଗଠନ ରାସ୍ତା କୁ ଖାଲି କରିବା ଏବଂ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛି। ତେବେ ଟ୍ରାଫିକ୍ ପାଇଁ ରାଜପଥ ଖୋଲିବାକୁ କିଛି ସମୟ ଲାଗିପାରେ। ଭୂସ୍ଖଳନ ଯୋଗୁଁ ଜେଏନ୍ ରୋଡ୍, ରେଲଖୋଲା, ୧୩ ମାଇଲ୍ ଓ ଥୁଲୋ ଖୋଲା ସମେତ ଗାଙ୍ଗଟକ-ନାଥୁଲା ରାସ୍ତା ଅବରୋଧ ହୋଇଛି । ସୋମଗୋ ହ୍ରଦ, ବାବା ମନ୍ଦିର, ନାଥୁଲା ଏବଂ ଉତ୍ତର ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଅନୁମତି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି l

Spread the love